Unknown

ଆଖିର ଦେଖା

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ପାତ୍ର ପରିଚୟ-

 

ପୁରୁଷ:

ଶ୍ରୀକୃଷ୍ଣ, ମଧୁମଙ୍ଗଳ, (ବଟୁ) ସୁବଳ, ନାରଦ, ଚନ୍ଦ୍ରଶେଣା....

 

ସ୍ତ୍ରୀ:

ଶ୍ରୀମତୀ, ଲଳିତା, ବୃନ୍ଦା, ବିଶାଖା, ଜଟିଳା, କୁଟିଳା....

 

ପ୍ରଥମ ଅଙ୍କ-ପ୍ରଥମ ଦୃଶ୍ୟ

( ଉଦ୍ୟାନ ବାଟିକା ମଧ୍ୟରେ ଗୋଟିଏ ମାଧବୀ ଲତା । ଫୁଲ ଫୁଟିଆସୁଥିଲା- ଶ୍ରୀମତୀ ଫୁଲ ତୋଳିବାକୁ ଚେଷ୍ଟା କରୁଥିଲେ । ସନ୍ଧ୍ୟା - ପୂର୍ଣ୍ଣିମା ଚନ୍ଦ୍ର ଉଦୟ ହେଲେ । )

ଶ୍ରୀମତୀ

( ଗୁଣୁଗୁଣୁ ଗୀତ ଗାଉଛନ୍ତି )

ଦୂର ନୀଳନଭ - ଶଶୀ

ଥାଅ ଗୋ, ସୁଦୂରେ ବସି

ଧରଣୀର ଧୂଳିକଣା

ମାଗିବ କରୁଣାରାଶି ।୦।

 

ସୁଖ ଲାଗେ ସତେ ପ୍ରିୟ !

ନିତି ଦୂରଦେଖା ଦିଅ,

କେଜାଣି ପାଶୋରିଦେବି

ପାଶରେ ଥିଲେ ମୁଁ ବସି ।୧।

 

ଲଳିତା

-

( ଗୀତମଧ୍ୟରେ ଆସି ଶୁଣୁଥିଲେ – ଗୀତ ଶେଷରେ ହସି କହିଲେ ) - ଉଁହୁଁ, ତେବେ ଆଉ ନ ପାଅ ତାକୁ ।

ଶ୍ରୀମତୀ

-

( ଫେରିଚାହିଁ ) କିଏ ?

ଲଳିତା

-

ସେଇ ... ଫୁଲ ମ ।

ଶ୍ରୀମତୀ

-

ଦେ’ ଦେ’ ସହି, ପାରିଦେଲୁ ଟିକିଏ-ପାରୁ ନାହିଁ ମୁଁ ।

ଲଳିତା

-

କେମିତି ପାରିବ ?

ଶ୍ରୀମତୀ

-

ସତେ ମ ସହି, କୋଉ ପହରୁ ମୁଁ...

ଲଳିତା

-

ଆହୁରି ତ କେତେ ପହର ଯିବ, ତୁମେ ତ ନିଜେ କହୁଥିଲ, ‘‘ଥାଅ ଗୋ ସୁଦୁରେ ବସି’’ ।

ଶ୍ରୀମତୀ

-

ଆଚ୍ଛା, ତୋଳିଆଣି ହାତରେ ଧରିବାଠୁଁ... ଆଖିର ଦେଖାଟା କଅଣ ସତରେ ଭଲ ନୁହେଁ ସହି ?

ଲଳିତା

-

ଭଲ ତ ! ତେବେ ହାତ ବଢ଼ାଉଥିଲ ଯେ ?

ଶ୍ରୀମତୀ

-

ବଢ଼ାଉଥିଲି - ବିଡ଼ିବାକୁ ମନ ।

ଲଳିତା

-

ବିଡ଼ିଲ ?

ଶ୍ରୀମତୀ

-

ଟିକିଏ ଟିକିଏ -( ଅଳ୍ପ ହସିଲେ )

ଲଳିତା

-

ମୁଁ ଆସି ବୋଧେ ଅଡ଼ୁଆ ହେଲି ?

ଶ୍ରୀମତୀ

-

ଟିକିଏ ଟିକିଏ -

ଲଳିତା

-

ବାଃ, ତେବେ ଫୁଲଟି ପାରିଦେବାକୁ ମୋତେ କହୁଥିଲ ଯେ ? ଦେବି କି ନାହିଁ ଫେର୍‌?

ଶ୍ରୀମତୀ

-

ଟିକିଏ ଟିକିଏ -

ଲଳିତା

-

ଆଚ୍ଛା, ସେଇ ଟିକିଏ ଟିକିଏ କରି କହ । ପଚାରିବି ?

ଶ୍ରୀମତୀ

-

ଟିକିଏ ଟିକିଏ -

ଲଳିତା

-

ବେଶ୍‌, ଆଗ ମୋତେ କହିଲ ଦେଖି - ଏମିତି ଖାଲି ଆଖିର ଦେଖାରେ କି ମନ ମାନେ ?

ଲଳିତା

-

ବଧୂସଧେ ହାତ ଭାଙ୍ଗିହେଉଛନ୍ତି

 

 

ଯଶୋଦା ତୋତେ ବିଲୋକି ।।

 

ଶ୍ରୀମତୀ - ମୋ ଆଡ଼କୁ କେଣେ ଢାଳୁ ଗୋ ଲଳିତେ,

ମୋ ଆଡ଼କୁ କେଣେ ଢାଳୁ ?

ଲଳିତା - ଯଥାଯୋଗ୍ୟ ବୋଲି ମନ ଲୋଭାଇଲା

କଥାକୁ କାହିଁକି ଚଳୁ ?

 

ଶ୍ରୀମତୀ - ଏହି ଗୋପରେ କି ବାସ ଗୋ ଲଳିତେ,

ଏହି ଗୋପରେ କି ବାସ ?

ଲଳିତା - ଆମ୍ଭ ଅଟ୍ଟାଳି ଆରୋହିଲେ ଦିଶୁଛି

ତାଙ୍କ ସଉଧ-କଳସ ।।

 

ଶ୍ରୀମତୀ - କୃଶ ନା ପୃଥୁଳ ତନୁ ଗୋ ଲଳିତେ,

କୃଶ ନା ପୃଥୁଳ ତନୁ ?

ଲଳିତା - ଦେଖାଇଦେବି ରହିଥାଅ, ଆସିବେ

ଏବେ ତ ଲେଉଟି ବନୁ ।।

( ଶ୍ରୀମତୀଙ୍କୁ ନେଇ ଚାଲିଗଲେ )

 

ଦ୍ୱିତୀୟ ଦୃଶ୍ୟ

( ପଥ - ସୁବଳ ଆଉ ଶ୍ରୀକୃଷ୍ଣ ବ୍ରଜଦାଣ୍ଡରେ ଆସୁଥିଲେ )

 

କୃଷ୍ଣ

-

ମାଆଙ୍କ ଆଖିକି ମୁଁ ସେଇ ପିଲା । ଗୋଠରୁ ବାହୁଡ଼ିଲାବେଳକୁ ଟିକିଏ ମଠ ହେଲେ, ଅସମ୍ଭାଳ ହୋଇ ଦୁଆରମୁହଁକୁ ଧାଇଁ ଆସିଥିବେ ।

ସୁବଳ

-

କାହ୍ନୁ ! ମାଆ ଆଖିକି ପିଲା କେବେ ବଡ଼ ଦୁଶେ ?

କୃଷ୍ଣ

-

କେତେଦିନୁଁ ମନ ହେଲାଣି, ବେଳ ପାଇଲେ ଟିକିଏ ଗୋପ-ବଜାର ବୁଲିଆସନ୍ତି । ଖାଲି ମାଆଙ୍କ ଡରରେ ଜମା ଆସିପାରେ ନାହିଁ । ଆଜି...

 

 

( ମଧୁମଙ୍ଗଳ ଆସିଲେ )

ମଧୁ

-

ଦେଲି ସଖା ! ଏକାବେଳେ ବାଗେଇଦେଇଛି । ଗୋଠଘରେ ପହଞ୍ଚୁ ପହଞ୍ଚୁ ଦି’ଘଡ଼ି ମଠ ହବ । ସୁଦାମକୁ କହିଛି, ବୁଲି ବୁଲି କାଳନ୍ଦୀହ୍ରଦକରରେ ପଡ଼ି ଘରକୁ ଯିବେ । ବଳେ ମଠ ହବ, ଏଥର ତୁମେ କେତେ ବୁଲୁଛ - ବୁଲୁଥା’ ।

କୃଷ୍ଣ

-

ବାଃ, ତୁମେ ନ ଥିଲେ ବଟୁ...

ସୁବଳ

-

ହଁ, ଚୋରବୁଦ୍ଧି ବତେଇବ କିଏ ?

ମଧୁ

-

ହାଁ, ଚୋରବୁଦ୍ଧି ଆମର ?

କୃଷ୍ଣ

-

ରାଗିଯାଉଚ କି ସଖା ? ସୁବଳ ତମକୁ ସେମିତି ପରିହାସରେ କହିଲେ ନା ।

ମଧୁ

-

ସେ ପରିହାସ ତାଙ୍କରି ଗାଈ-ବାଛୁରୀଙ୍କ ସାଙ୍ଗରେ କରିବେ - ଆମ ସାଙ୍ଗରେ କ’ଣ ? ଭସ୍ମ କରିଦେବା ଶକ୍ତି ଆମରି ବଂଶରେ ଥିଲା - ଜାଣ ତ ?

 

 

( ବଡ଼ ବଡ଼ ଆଖି କରି ସୁବଳକୁ ଅନାଇଲେ )

କୃଷ୍ଣ

-

ଉଁହୁଁ, ଘରସବୁ ଚିହ୍ନେଇବ କିଏ ଫେର୍‌? ଆଜି ଦିନଟା ଥାଉ । ଭସ୍ମ କରନାଇଁ ସଖା । ( ହସିଲେ )

ମଧୁ

-

ଯା ଯା, ସଖା ନ ଥିଲେ...

ସୁବଳ

-

ହଉ, ଏଥର ତମକୁ ଡରିକରି ଚଳିବି, ଯା । ଚାଲ ସଖା, ବୁଲିଯିବ ପରା ?

କୃଷ୍ଣ

-

ରହ, ଘରସବୁ ଚିହ୍ନି-ଚିହ୍ନିକା ଯିବା ନା...

ମଧୁ

-

ଛି ଛି କାହ୍ନୁ, ତମେ ରଜାପୁଅ, ପରଜାଙ୍କ ଘରଗୁରାକ ଚିହ୍ନିବ ? ପାପ ନେଖିବ ନାଇଁ ?

କୃଷ୍ଣ

-

ଛି, ସେମିତି କହନ୍ତି ସଖା ? ମୁଁ ପରା ପଚାରୁଛି...

ମଧୁ

-

ପଚାରୁଛ ଯେ... ଏଥିରେ କିଛି ପେଞ୍ଚ ତ ନାଇଁ ।

ସୁବଳ

-

ଯାଃ, ଏଇ ଧୁକୁପୁଚୁ ମନ ତମର ଗଲା ନାଇଁ ବଟୁ !

କୃଷ୍ଣ

-

କହିଲ ସଖା, ଏଇଟା କାହା ଘର ? ମତେ ଗୋଟି ଗୋଟି କରି ଚିହ୍ନାଇଦିଅ ।

ସୁବଳ

-

ଚାଲ ତେବେ ।

କୃଷ୍ଣ

-

ବଟୁ ! ମୁଁ ତ ଏ ଘରସବୁ ଚହ୍ନି ନାଇଁ ।

ମଧୁ

-

ହଁ, ରଜାପୁଅ, ପରଜାଙ୍କ ଘର କାହିଁକି ଚିହ୍ନିବ ?

କୃଷ୍ଣ

-

ଯାଃ, ତମକୁ ପରା ସେଇଆ କହିଲି - ତୁମେ ମୋତେ ଗୋଟିଗୋଟି କରି ସବୁ ଘର ଚିହ୍ନେଇଦବ ।

ମଧୁ

-

ହାଁ, ଏକଥା କହିଲ ଯେ ହେଲା । ଆଁ...ଦେଖ, ପହିଲୁ ଏଘର ଆମ୍ଭ ଛଇକି ଗାଈର, ଆଁ... ସେଇଟା...ଅନା, ସେଇଟା ଆମ ରମ୍ଭା ବାଛୁରୀର । ( ଆଙ୍ଗୁଠି ଠାରି ) ଆଁ... ତା’ ଆର ପାଖଟା ଚିତିରା ଛଡ଼ାର ।

କୃଷ୍ଣ

-

ଯାଃ !

ମଧୁ

-

ଏଁ ! ( ଆଶ୍ଚର୍ଯ୍ୟ ହୋଇ ଚାହିଁଲେ କୃଷ୍ଣଙ୍କୁ )

କୃଷ୍ଣ

-

ମୁଁ କଅଣ ଏଇଆ ଚିହ୍ନେଇବାକୁ ତୁମକୁ ଡାକିଥିଲି ?

ମଧୁ

-

ଆଉ ? କିଓ, ଗଉଡ଼ ଜାତି - ଗାଈ-ବାଛୁରୀରେ ତ ବେପାର । ଆଉ ଆମପରି ବ୍ରାହ୍ମଣ ହେଇଛ ଯେ... କୋଉ କୋଉ ଘରେ ଭଲ ଭୋଜି ମିଳେ, ଚିହ୍ନିବ ?

ସୁବଳ

-

ବଟୁ, ତମକୁ ଆଉ ପାରିହବ ନାଇଁ । ତୁନି ହେଲ ତୁମେ ।

ମଧୁ

-

ତୁନି ହେବି ତେବେ ? ହଉ, ହେଲି ।( ମୁହଁରେ ଆଙ୍ଗୁଠି ଦେଲେ )

କୃଷ୍ଣ

-

ଆସ, ଆଗକୁ ଆସ । ଆଚ୍ଛା ବଟୁ ! ଏଇଟା କାହା ଘର ?

ମଧୁ

-

( ନୀରବ )

ସୁବଳ

-

ଓଃ, ରୁଷି ତ ଗଲା ! କଅଣ ଏମିତି କଥାଟେ ହେଲା ଯେ...ମୁହଁରେ ଅରରଳି ପଡ଼ିଗଲା ? ‘‘ପୋଷାକପାଇଁ କୋଶକ ଧାଇଁ’’ - ୟାଙ୍କର ପୁଣି ମାନ ?

କୃଷ୍ଣ

-

( ସୁବଳକୁ ଶାସନ ଇଙ୍ଗିତ କରି ) ସଖା ! ତୁମେ ଏମିତି ଟିକକ କଥାରେ ରୁଷିଲେ...( ଟାଣି ) ଛି, ଆସ, କଥା କୁହ ।

ସୁବଳ

-

ଓଃ, ନ କହିଲେ ନାହିଁ ହୋ, ସାଙ୍ଗଛଡ଼ାଗୁରାକ । କାହ୍ନୁ କଅଣ ଏମିତି କହିଲେ ଯେ, ଏଇଥିପାଇଁ...

ମଧୁ

-

ହଁ ରେ, ରଜାର ତ ସଭିଏଁ, ପ୍ରଜାର କିଏ ? ମଲେ କେତେ, ଗଲେ କେତେ ? କି ରେ ! କାହ୍ନୁ ପରା ଆମର ରାଜା? ସେ କହିଲେ, ତୁନି ହୁଅ - ତୁନି ହେଇଗଲି । ଏ କଥାଟା ତ ଆଉ ବୁଝିଲ ନାହିଁ ?

ସୁବଳ

-

ଆଚ୍ଛା ବୁଝାଯିବ । ତୁମେ ଆଗ କଥା କୁହ ।

ମଧୁ

-

ଅନ୍ଧ ନାଁ କାଲ ରେ ? ଏଇଟା ମୋ ମୁହଁଟି ?

ସୁବଳ

-

ହଁ ତ ।

ମଧୁ

-

ମୋ ମୁହଁରେ କଥା ମୁଁ କହୁ ନାହିଁ ଆଉ କଅଣ ତୁ କହୁଚୁ ମୋ ମୁହଁରେ ପଶି - ଯେମିତି ଆମ ଶ୍ରୀମୁଖରେ ମଣ୍ଡାପିଠା ପଶେ ? ଆରେ କାହ୍ନୁ କହିଲେ, ତୁନି ହୋଇଥିଲି - ଫେର୍‌ସେ କହିଲେ କଥା କହ - କହିଲି । ରାଜଭକ୍ତ ପ୍ରଜା କିନା...

ସୁବଳ

-

ଆଉ ? ନମୁନା ତାର ତ ତୁମେ ! ଚାଲ ।

ମଧୁ

-

ଚାଲିବି କୁଆଡ଼େ ? ସଖା ପରା କଅଣ ପଚାରିଥିଲେ ? ଆଗେ କହେଁ - ହଁ, କଅଣ ପଚାରୁ ପଚାରୁ ଏଇଠି ଥକ୍‌କା ମାରିଗଲଟି ସଖା ?

କୃଷ୍ଣ

-

ପଚାରୁଥିଲି ଏଇଟା କାହା ଘର ?

ମଧୁ

-

ଏଇଟା - ଏଇଟା ପରା ଆମ ସୁଦାମର । ଯିବା କି ସଖା, ପଶି ଘରକୁ ତାଙ୍କର ? ସୁଦାମାର ମାଆ, ନ ଥିବ କି, ଦିବ୍ୟ ଦହିଖେଳଟେ ହବ ।

କୃଷ୍ଣ

-

ସେ ବଡ଼ ଘରଟା ?

ମଧୁ

-

କୋଉଟା ?

କୃଷ୍ଣ

-

ହେଇ, ଟିକିଏ ଦୂରରେ...

ମଧୁ

-

ନାଇଁ ନାଇଁ ସଖା ! ସେଠି ଜମା ଦହିଖେଳ ହେଇପାରିବ ନାହିଁ । ଦାଣ୍ଡ, ବାରି - ଦି’ ବାଟେ ଜଗୁଆଳି - ସେଟା ଚନ୍ଦ୍ରଶେଣା ଘର । କୁଟିଳା ବୋଲି ଚନ୍ଦ୍ରଶେଣାଙ୍କର ଖଣ୍ଡେ ଭଉଣୀ ଅଛନ୍ତି ଯେ - ସାକ୍ଷାତ୍‌ସ୍ୱର୍ଗର ଅପରଛନା । ଆଉ ଗୋଟେ ମାଆ ତାର ଜଟିଳା - ବୁଢ଼ି ଅସୁରୁଣୀ । ଆଗପଛ ଦି’ଗଣ୍ଡା ଆଖି ତାର । ଖାଲିଟାରେ ସେବାଟେ ଯିବା ସିନା ! ଡହଳ ବିକଳ ହେବା କଥା ! - ନୋହିଲେ ପେଟ ପୂରିବ ନାହିଁ । ସଖା ! ତୁଚ୍ଛା ଆଖିର ଦେଖା । ଚାଲ, କହୁଚ ଯେବେ । ହେଲେ ମୋ ମନ ମାନୁ ନାଇଁ ।

ସୁବଳ

-

କିନ୍ତୁ ବଡ଼ ଦୁଃଖରେ ତୁମେ ପାହୁଣ୍ଡ ପକାଇବ ଆଗକୁ, ନା ?

ମଧୁ

-

ଆଉ କଅଣ ?

ସୁବଳ

-

କାରଣ, ତମ ପେଟଦେଖାର କିଛି ବରାଦ ସେଠି ନାହିଁ ।

ମଧୁ

-

ଆହା ହା ! ବୃହସ୍ପତିଙ୍କ ଉଦରରୁ ଜନ୍ମ ତୁମର ! ବରାବର ଆମ ମନକଥାଟା ବାନ୍ତି କରିଦେଲ । ଆମରି ପେଟଟା କେବଳ ତୁମକୁ ଦିଶିଲା ? ସଖା, ସତ କହିଲ, ଆଖି ଦେଖାରେ କି ପେଟ ପୂରେ ? ସୁବଳ ଆମର ଦିନକୁ ମଞ୍ଜେ ନେଖେ ପକାଉଛନ୍ତି ଆଖିବାଟେ । ଆରେ ଉଲୁ...

( ଗୀତ )

ଶିଶିରେ କି ଫୁଟେ ଫୁଲ ବିନା ବରଷଣେ

ଛାଇରେ କି ଭୁଲେ ମନ ବିନା ପରଶନେ ?

ଚାହିଁଲେ କି ପୂରେ ପେଟ ଭୋଜନ ବିହୁନେ

ଆଖି ଦେଖା ଲାଖେ ଖାଲି ସପନ-ନୟନେ ।

( ଶ୍ରୀକୃଷ୍ଣଙ୍କୁ ଘେନି ପ୍ରସ୍ଥାନ )

 

ତୃତୀୟ ଦୃଶ୍ୟ

( ଚନ୍ଦ୍ରଶେଣା ଖାଇବସିଥିଲେ - ଜଟିଳା ବିଞ୍ଚିଦେଉଥିଲା )

 

ଜଟିଳା

-

ଆଉ ଚାରି ଦିନ ରହିଲା କି କଅଣ ରେ ନନ୍ଦ ରଜାଘର ପରବ ।

ଚନ୍ଦ୍ର

-

ପରବ ?

ଜଟିଳା

-

ହଁ ମ, ତାଙ୍କ ପୁଅଙ୍କ ଜନମଦିନ । ଯଶୋଦା ନିଜେ ଆସି ମତେ, ବୋହୂକୁ, ଝିଅକୁ, ସଭିଙ୍କି ଡାକିଯାଇଛନ୍ତି । ଦହି, ଦୁଧ ଦି’ଭାର, ଛେନା ଭାରେ ଆଉ କଅଣ କଅଣ ଦେଖିକରି ଯୋଗାଡ଼ କରିଦେଇଥା । ଖାଲି ହାତରେ କେମିତି ଯିବା ? ଅଚିକ୍‌କଣ ହବ କଥାଟା ।

ଚନ୍ଦ୍ର

-

ସମସ୍ତେ ତ ଯିବ, ଘରେ ଫେର୍‌କିଏ ?

ଜଟିଳା

-

ନୋହିଲେ କୁଟିଳା ଥାଉ, ରନ୍ଧାବଢ଼ା କରିବ । ମୁଁ ବୋହୂକୁ ନେଇକରି ଯିବି, ଛାଡ଼ିଦେଇ ଆସିବି । ଏଠି ତ ଫେର୍‌ଘରଗୋଟାକର ଆର୍ଦୋଳି - ଗାଈ ଗୋରୁ - କିଏ ସେତକ ସମ୍ଭାଳିବ ?

 

 

( ଶ୍ରୀମତୀ ହାତରେ ଦୁଧବେଲା ନେଇ ଆସୁଥିଲେ - ଏତିକିବେଳେ ଦୂରରୁ ବଂଶୀ ଶୁଭିଲା - ଶ୍ରୀମତୀଙ୍କ ହାତରୁ କଂସାଟା ଖସି ପଡ଼ିଗଲା ଜଟିଳା ବିରକ୍ତ ହେଲା ) ଏଡ଼େ ଗେଲବସର ହ’ନେଇ ମ ରାଧା ! ଘରଟାରେ କ’ଣ ଝୁଣ୍ଟିପଡ଼ୁଛୁ ?

 

 

( କୁଟିଳା ପହଞ୍ଚିଲା )

କୁଟିଳା

-

କଅଣ ଗୋଟେ ପଡ଼ିଲା ମ ?

ଜଟିଳା

-

ଗେଲବସର ବୋହୂ ଆଣୁଥିଲେ ପୁଅପାଇଁ କ୍ଷୀର ଯେ...

କୁଟିଳା

-

ହଁ, ଓଜନ ପାଇ ହାତରୁ ଖସିପଡ଼ିଥିବ ମ ! ଊଣା ଗରୁ କି ସେ କଂସା ? ରଜାଘର-ଝିଅ ପରା ! ବାଟ ଚାଲିଜାଣନ୍ତି ନାହିଁ - ଘରେ ଦୋଳି ପହଞ୍ଚୁଥିଲେ ଦିନରାତି । ଘରର ତ ପୋଇଲି ଜାଣି ମୁଁ - ପାଣି ମାଠିଆକୁ ଆଶା ଅଛି ଭଲା ବୋହୂଙ୍କଠୁଁ ? ହଁ, କାହାକୁ କହିବା - ଭାଇର କର୍ମ ସେ ।

ଶ୍ରୀମତୀ

-

ହାତରେ ଚିକ୍‌କଣଗୁରା ଲାଗିଥିଲା ଯେ କଂସାଟା ଖସିଗଲା ।

କୁଟିଳା

-

ହଁ ମ, କଥା ଯେମିତି ଚିକ୍‌କଣ, ହାତଟା ସେମିତି ଚିକ୍‌କଣ ।

 

-

( ଶ୍ରୀମତୀ କଂସା ଉଠାଇଲେ - କୁଟିଳା ବାଧା ଦେଲା )

କୁଟିଳା

-

ହଉ ଥାଉ ଥାଉ, ଘରକୁ ବିଜେ କର । କଂସାଟାକୁ ଆଉ ଥରେ ପକେଇ ଭାଙ୍ଗ ନାଇଁ । କ୍ଷୀରତକ ତ ଗଲା - ଗଲା । ଯା ।

କୁଟିଳା

-

ଆଉ ଠିଆ ହେଲ କାହିଁକି ? ଯା ।

କୁଟିଳା

-

କଅଣ ଚାଲିଆସୁ ନାହିଁ ? ପହଣ୍ଡ ମଣେଇନେବି । ( ରାଧାଙ୍କୁ ଧଇଲେ ) ଚାଲ, ମଲା ! ଦିହଟା ତ କାହିଁକି ଥରୁଚି ?( ନେଇଗଲେ ଘରକୁ )

ଜଟିଳା

-

ଦେଖିଲୁ ବୋହୂଙ୍କ କାମ ? ଏଇଥିରେ ଘରଟାକୁ ସମ୍ଭାଳିବ କେମିତି ? କୁଟିଳାକୁ କଳେଇ ବୋଲି କହୁ ଯେ - ସେ କଅଣ ମିଛରେ ପାଟିତୁଣ୍ଡ କରେ ?

ଚନ୍ଦ୍ର

-

ପଡ଼ି ତ ଗଲା, କଅଣ କରିବ ସେ ? ଜାଣିକରି ତ ନୁହେଁ ।

କୁଟିଳା

-

( ନେପଥ୍ୟେ ) ମାଆ, ବେଗେ ଆ, ବେଗେ ଆ, ବୋହୂ-ଦିହ କଅଣ ହେଇଯାଉଛି । ଧରିକରି ଆଣି ଛାଡ଼ି ଦଉଦଉ ପଡ଼ିଗଲେ ଯେ, ସାଙ୍ଗେ ସାଙ୍ଗେ ଝୋଲାମାରି ନେଲା ।

ଚନ୍ଦ୍ର

-

( ଅଇଁଠାହାତରେ ଉଠି ) ଏଁ ! ( ଚାଲିଗଲେ )

ଜଟିଳା

-

କପାଳ, କପାଳ ! ( ଉଠୁ ଉଠୁ ) ଆରେ, ବୋହୂକୁ ଦେଖିବାକୁ ଗଲୁ କ’ଣ ମ ? କୋଉଠି ଯାଇ ବଇଦ କିଏ ଅଛି ହେଲେ ଦେଖ୍‌। ( ଯାଉ ଯାଉ ) ଡାକ୍‌କାହାକୁ ।` ( ନେପଥ୍ୟରୁ ଶୁଭିଲା - ‘‘କୃଷ୍ଣ କୃଷ୍ଣ’’ )

ଜଟିଳା

-

ମଲାରେ ନିଆଁ ନଗା ଶୁଆଟା ! କେଡ଼େ ରଡ଼ି ପକୋଉଚି ମ ?

 

-

( ଚାଲି ଯାଉ ଯାଉ ପୁଣି ନେପଥ୍ୟରୁ ଶୁଭିଲା - ‘‘କୃଷ୍ଣ କଷ୍ଣ’’ )

 

ଚତୁର୍ଥ ଦୃଶ୍ୟ

( ବ୍ରଜପଥ - ଗାଇ ଗାଇ ଆସିଲେ ନାରଦ )

( ଗୀତ )

ନାରାୟଣ, ନାରାୟଣ, ନାରାୟଣ,

ଭଜ ମନ, ନାରାୟଣ ଭଜ ।୦।

ଶଙ୍ଖଚକ୍ର ଶ୍ରୀକରେ ଶୋହେ

କୌସ୍ତୁଭମଣି କଣ୍ଠ ମୋହେ,

ନାଗାସନ, କମଳନୟନ

ନାରାୟଣ ଭଜ ।୧।

 

ବୃନ୍ଦା

-

( ପ୍ରବେଶି ପ୍ରଣାମ କରି ) ବଡ଼ ସୌଭାଗ୍ୟ ମୋର ଆଜି । ଦେବର୍ଷିଙ୍କ ଚରଣ ଦର୍ଶନ କରି ଧନ୍ୟା ହେଲି ।

ନାରଦ

-

( ହସି ) ବୃନ୍ଦାଦେବି ! ଏକଥା କେବଳ ତୁମର ମହତ୍ତ୍ୱର ପରିଚାୟକ; ବରଂ ସୁଦିନ ମୋର ଆଜି ।

ବୃନ୍ଦା

-

କାହିଁକି ? ଦେବର୍ଷି ନାରଦଙ୍କର ଚରଣଦର୍ଶନ କଅଣ ସତେ ମୋର ସୌଭାଗ୍ୟର କଥା ନୁହେଁ ?

ନାରଦ

-

ନାରାୟଣ, ନାରାୟଣ !

ବୃନ୍ଦା

-

ଦେବର୍ଷି ! ବୃନ୍ଦାବନର ଜଣେ ସାମାନ୍ୟ ନାରୀ ମୁଁ । ମୋତେ...

ନାରଦ

-

ମୋ କଥା ଆଦୌ ମିଥ୍ୟା ନୁହେଁ ଦେବି !

-

( ଗୀତ )

ନାରାୟଣ, ନାରାୟଣ, ନାରାୟଣ,

ଭଜ ମନ, ନାରାୟଣ ଭଜ ।

ତ୍ରିପୁରାନ୍ତକ ରାବଣାରି

ମୁନି-ମାନସ ମୋହକାରୀ,

କୋଟି ଭାନୁ ନିନ୍ଦେ ଚରଣ

ନାରାୟଣ ଭଜ ।୨।

 

ବୃନ୍ଦା

-

ବାସ୍ତବିକ୍‌ଦେବର୍ଷି ଯେ ବଡ଼, ଯେ ମହତ୍‌, ତାଙ୍କର ଆଖି ମଧ୍ୟ ସେହିପରି ମହତ୍‌, ଉଚ୍ଚ । ସେ ସମସ୍ତଙ୍କୁ ମହତ୍‌ଦୃଷ୍ଟିରେ ଦେଖନ୍ତି ।

ନାରଦ

-

କୁଆଡ଼େ ବାହାରିଥିଲ ଦେବି ?

ବୃନ୍ଦା

-

ଦେବୀ ପୌର୍ଣ୍ଣମାସୀଙ୍କ ଦର୍ଶନଲାଗି ।

ନାରଦ

-

ମୁଁ ମଧ୍ୟ ସେହି ଆଶାରେ ଆସିଥିଲି । ଗୋଲେକଚନ୍ଦ୍ର ବୃନ୍ଦାବନକୁ ଆସି ନୀରବ ରହିଲେ ତ ! ମହାଭାବ ମିଳନର ବ୍ୟବସ୍ଥା କାହିଁ ? ଦେବୀ ପୌର୍ଣ୍ଣମାସୀ କଅଣ ସେବିଷୟରେ ନିଶ୍ଚିନ୍ତ ରହିଲେ ? ଦେବତାମାନେ ଉତ୍କଣ୍ଠିତ ହୋଇ ମୋତେ ପଠାଇଛନ୍ତି ତାଙ୍କ ପରାମର୍ଶ ଲୋଡ଼ିବାକୁ।

ବୃନ୍ଦା

-

କହିଥିଲି ନାଁ, ମୋର ଆଜି ସୁଦିନ ? ଆସନ୍ତୁ ଦେବର୍ଷି । ଆଜି ବୃନ୍ଦାବନଚନ୍ଦ୍ର ବ୍ରଜପଥରେ ବିଜେ କରିବାବେଳେ ମହାଭାବଙ୍କର ସ୍ୱରୂପଦର୍ଶନ ଘଟିଯାଇଛି ।

ନାରଦ

-

ଉତ୍ତମ ସୁଯୋଗ ! ଏତିକିବେଳେ ହୋମାଗ୍ନିରେ ଆହୁତି-ପ୍ରଦାନର ଶୁଭବେଳା । ନାରାୟଣ, ନାରାୟଣ !

 

 

( ଗୀତ ଗାଇ ଗାଇ ଚାଲିଗଲେ )

 

ପଞ୍ଚମ ଦୃଶ୍ୟ

( ଯମୁନାତଟ - ସନ୍ଧ୍ୟା )

 

ଲଳିତା

( ଗୀତ )

ଆକାଶେ ଚାନ୍ଦ ହସେ - ଏଇ ନୀଳ ଯମୁନାଜଳେ

ରୂପେଲି ଚାନ୍ଦ ଭାସେ ରେ ।୦।

ବଉଳଗଛ ଗହଳତଳେ

ଖେଳେ ଲୁଚକାଳି ରେ,

କୁଞ୍ଜତଳେ ଫୁଟିଫୁଟିକା - ମିରିଗ-ଚମ ପାରି ( ବସେ )

ମହୁଲଫୁଲେ ମିଶେ ରେ ।୧।

 

ଛପିଛପିକା ଦେଖେ ଏ ଖେଳ ଏକୁଟିଆ ତାରା,

ନେଳିଦେହେ ମିଶିବ କେବେ ସେଇ ତନୁ ଗୋରା

ତମାଳେ କନକଲତା - ସୁନାଚିତା -

ବନରାଣୀ କେଶେ ରେ ।୨।

 

( ବିଶାଖା ଆସି ଲଳିତାଙ୍କ କାନରେ ଶ୍ୟାମଙ୍କ ଆଗମନସଂବାଦ ଦେଲେ - ସେଠାରୁ ବେଗେ ଚାଲିଯିବାକୁ କହିଲେ ଓ ନେପଥ୍ୟରେ ଶ୍ୟାମଙ୍କୁ ଦେଖାଇଦେଲେ - ଶ୍ୟାମ ଆସୁଥିବାର ଦେଖି ସମସ୍ତେ ଚାଲିଗଲେ - ଶ୍ରୀକୃଷ୍ଣ ପ୍ରବେଶ କଲେ ଉତ୍‌କଣ୍ଠିତଭାବେ )

 

କୃଷ୍ଣ

-

କାଇଁ ? ଖାଲି ଛାୟା; କାୟାର ତ ଭେଟ ନାହିଁ ? ଶ୍ୟାମକୁଞ୍ଜର ପତ୍ରଶେଜରେ, ତାରି ଘୁମନ୍ତ ଛାୟା - ଶ୍ୟାମଘନର ପ୍ରଶାନ୍ତ ବକ୍ଷରେ ତାରି ଚୁମ୍ବନମାୟା । ଶ୍ୟାମ ଯମୁନାର ଜଳବେଣୀମଧ୍ୟରେ ଲୁଚକାଳି ଖେଳେ ତାରି ରୂପ; କିନ୍ତୁ ସେ କି ଖୋଜେ, ଯେ ତାକୁ ଚାହେଁ, ଯେ ଝୁରେ ତାକୁ । ( ଦୀର୍ଘନିଃଶ୍ୱାସ ମାରି )

 

( ଗୀତ )

ଏ ଯମୁନା, ଯମୁନା ! କହ ଥରେ, କାହିଁ ସେ ଚନ୍ଦ୍ରଲେଖା

ନିତି ଫୁଲସଞ୍ଜେ            ଖୋଜେ ଫୁଲକୁଞ୍ଜେ

କାହିଁ ତ ନାହିଁ ଦେଖା ।

 

ଲହରୀ ଅଞ୍ଚଳେ ଖେଳେ ସେ ଚଞ୍ଚଳେ

ନୀଳ ଜଳବେଣୀ, ଖେଳାଇ ସେ ଚଳେ ଗୋ,

ବନ ପୀକ କହେ - କାହିଁ ସେ, କାହିଁ ସେ, ନାହିଁ ତ ଦେଖ

ଫୁଲଗନ୍ଧ ତଳେ, ଏ କଦମ୍ବମୂଳେ -

 

ନୀଳ ଅମ୍ବୁକୋଳେ ସେ ଛାଇ ଦୋଳେ -

ମୁଁ ତ ଚାହିଁ ଚାହିଁ - ନିଶିଦିନ କାହିଁ

ଏ ମୋ ନୟନପଥେ ପଲକ ତ ନାହିଁ

ଯମୁନାନୀରେ ସେ ଭାସିଆସେ ନିତି

 

ମୂରଲୀତୁଲେ ସେ କହେ ପ୍ରେମଗୀତି

( ମୋହନ ) ପ୍ରେମ ନୟନପଟରେ

ଶୋଭେ ଶ୍ୟାମର ହୃଦୟର ଚନ୍ଦ୍ରରେଖା ।

 

ମଧୁ

-

( ଆସି ) ଫେର୍‌ଯମୁନା ! ଯାହାକୁ ଖୋଜୁଥିଲ; ମୁଁ ପରା ତା’ର ଠିକଣା ବତେଇଦେଲି - କଅଣ ମନ ମାନିଲା ନାହିଁ ?

କୃଷ୍ଣ

-

ଉଁହୁଁ...

ମଧୁ

-

ଆଉ କାହାକୁ ଖୋଜୁଥିଲ ତେବେ ? ମୋତେ ? ସତ କଥା । ଜହ୍ନପକ୍ଷ ହେଲେ କଅଣ ହବ, ରାତିଟା ତ, ଯମୁନାକୂଳ ନିଛାଟିଆ - ଡରମାଡ଼ିଥିବ ! ଏଇଥିପାଇଁ ଖୋଜୁଥିଲ ଯେ, ଯମୁନାକୁ ପଚାରିଲେ ସେ କେମିତି କହିବ ? ସେ ତ ମଣିଷ ନୁହଁ ।

ଶ୍ରୀକୃଷ୍ଣ

-

ନାଇଁ ସଖା...

ମଧୁ

-

ଲାଜ କଅଣ ଭାଇ ? ସେମିତି ବି ଭୁଲ୍‌ହୁଏ । ହାଉଳି ହେଲାବେଳେ ମଣିଷର ଜ୍ଞାନ ରହେ ନାହିଁ । ଗଛକୁ, ଡାଳକୁ ପଥରକୁ ମଧ୍ୟ ସାହା ହେବାକୁ ଡାକେ । ଦେଖି ଦେଖି, ଛାତି ଦେଖି ( ଛାତିରେ ହାତ ମାରି ) ଓହୋ ! କେଡ଼େ ଦାଉଁଦାଉଁ ପଡ଼ୁଚି ! କଅଣଟେ ଦେଖିଲ କାହ୍ନୁ ? ଭୂତ ?

କୃଷ୍ଣ

-

ନାଇଁ ସଖା ! ମୁଁ ଡରିନାଇଁ ମୋଟେ ।

ମଧୁ

-

ଆଉ ଖୋଜୁଥିଲ କାହାକୁ ?

କୃଷ୍ଣ

-

ନାଇଁ ତ । ଯମୁନାର ଶୋଭା ଦେଖି ମନ ପୁଲକିଉଠିଲା, ବସି ବସି ଗାଉଥିଲି । ବସ, ଦେଖିଲ ସଖା ! ଏଇ ନୀଳଯମୁନାରେ ଚନ୍ଦ୍ରର ତରଳ କିରଣ କେଡ଼େ ସୁନ୍ଦର ! ଲହରୀବୁକୁରେ ପହଁରି ପହଁରି ଖେଳିବୁଲୁଛି । କେଡ଼େ ଆନନ୍ଦ ଏଇ ଯମୁନାର !

ମଧୁ

-

ନା ସଖା, ଆନନ୍ଦ ସେଇ ଚନ୍ଦ୍ରର...ସେଇ କିରଣର ।

କୃଷ୍ଣ

-

ବୋଧ ହୁଏ ତୁମେ ଭୁଲ ବୁଝୁଛ ସଖା !

ମଧୁ

-

ବୋଧ ହୁଏ ନା ।

କୃଷ୍ଣ

-

କେମିତି ନାଁ ।

ମଧୁ

-

ବୁଝିପାରୁ ନା ସଖା, ଚନ୍ଦ୍ରସୁନ୍ଦର - ମାନୁଛି ମୁଁ; ମାତ୍ର ଯମୁନାର ଏଇ ନୀଳ, ଏଇ ପ୍ରଶାନ୍ତ, ଏଇ ତରତର ଢଳଢଳ ଛାତିରେ ହାର ହେବାରୁ ସିନା ଆଜି ତୁମେ ତାର ମାଧୁରୀ ଉପଭୋଗ କରୁଛ ? ତେବେ ଆନନ୍ଦ କାହାର ସଖା ? କହିଲ।

କୃଷ୍ଣ

-

ଯମୁନାର !

ମଧୁ

-

ଫେର୍‌ତ ସେହି କଥା କହିଲ । ସୁନ୍ଦର ପଦାର୍ଥ ସବୁବେଳେ ଆଶ୍ରୟ ଲୋଡ଼ୁଥାଏ ତାର ମାଧୁରୀ ଫୁଟାଇବାକୁ, ନିଜେ ସୁନ୍ଦର ଦିଶିବାକୁ, ଜଗତ୍‌ର ଆଦର ପାଇବାକୁ । ତେବେ କହିଲ, ଆନନ୍ଦ କାହାର ? ଆଶ୍ରୟ ପାଇସାରିଲା ବୋଲି ତାର ଆନନ୍ଦ ହେବାର ଉଚିତ ନୁହେଁ କି ?

କୃଷ୍ଣ

-

କିନ୍ତୁ ଯେ ଆଶ୍ରୟଦାତା ? ତାର କଣ ଆନନ୍ଦ ଊଣା ? ଖୋଲାଛାତି ଆଉ ମେଲାଆଖିରେ ସେ ଯେ ଦିନ ରାତି ଚାହିଁବସେ ପଥ - ଆଶା - ପଥ ।

ମଧୁ

-

ବୁଝିଲି ଯେ... ଗୋଟେ କଥା ପଚାରନ୍ତି ସଖା, ଯଦି ତୁମେ ସତଟି କହ ।

କୃଷ୍ଣ

-

କହିବି, ପଚାର ।

ମଧୁ

-

ଆଜି ତମର ଏକୁଟିଆ ଯମୁନାବୁଲା...ବିଶେଷତଃ ଏଇ ଚାନ୍ଦିନୀ ରାତିରେ... ପୁଣି ଚନ୍ଦ୍ରର ଏଇ ମୁକୁଳା ହସ ଦେଖିବାକୁ ଏଡ଼େ ମନ - ଏଇ ସବୁର କାରଣଟା...

କୃଷ୍ଣ

-

କାରଣ ? ୟାର୍‌କାରଣ କିଛି ନାହିଁ ମଧୁ ! ଏମିତି ଖାଲିଟା ।

ମଧୁ

-

( ମୁହଁ ପୋତି ) ନାଁ...

 

( ଗୀତ )

ମାନସକୁଞ୍ଜେ କେଉଁ ତାରା - ହସିଲା ପରା

ଅଜଣା ଫୁଲ କି ପରଶେ - ବସନ୍ତ ଚୋରା ।।୦।।

ଉଛୁଳେ ମଲ୍ଲିହସ ଯୌବନ ପରକାଶ

ଲାଜମିଶା ତା ଚାହାଣି,

ଲାଖିଲା କି ମରମେ - ନ କହୁ ତୁ ସରମେ

ନିଦପାଶୋରା ଆଖି - ତା ଦରଶନେ ଲାଖି

ଢାଳେ ମରମ କାହାଣି ।।୧।।

କୁହୁ କୁହୁ କୋଇଲି - ଅତିଥି କରେ କେଳି

ନୂଆ ବଉଳହାରେ ବାଇ କାମନାଗରା ।।୨।।

 

୬ଷ୍ଠ ଦୃଶ୍ୟ

( ବନପଥ - ଏକ ଦିଗରୁ ଲଳିତାର ପ୍ରବେଶ )

( ଗୀତ )

କେ ଜାଣେ ଭ୍ରମରା-ମନ କେଉଁ ସୁମନରେ

କେ ଜାଣେ ମଳୟରସେ ସେ କେଉଁ ବନରେ ? ।।୦।।

ଗୁନ୍ଥିଛି ହାର ସୁମନା            ଦେବତା ଘେନିବି କି ନା

କେ ଜାଣି ହସିବ ସତେ ଶଶୀ ଗଗନରେ ।।୧।।

ଏ ଭରା ଚାନ୍ଦିନୀ ରାତି      ଆସିବେ କି ପ୍ରୀତି ସାଥି

ଗୋପନେ ଲେଖିବେ ଗୀତି ଅଛି କି ମନରେ ? ୨।।

 

( ଲଳିତା ମଧୁଙ୍କୁ ଅପେକ୍ଷା କରିଥିଲେ - ବିଶାଖା ଆସି ପହଞ୍ଚିଲେ )

 

ବିଶାଖା

-

ଫେରୁଛନ୍ତି ।

ଲଳିତା

-

କାହ୍ନୁ ?

ବିଶାଖା

-

ତାଙ୍କ ସାଙ୍ଗରେ...

ଲଳିତା

-

ଆଖିର ନିଶା ?

ବିଶାଖା

-

ବେଶ୍‌ ଜମିଲାପରି ଲାଗେ ।

ଲଳିତା

-

କଅଣ ସେ କଥା କହୁଥିଲେ ନିଜେ ?

ବିଶାଖା

-

କାହ୍ନୁଟି ସେ, ସହଜେ ଧରା ପଡ଼ିବା ଲୋକ ? ଖାଲି ଚାଲିରୁ, ବୋଲିରୁ ଯାହା ମୁଁ ଅନୁମାନ କଲି ସିନା ।

ଲଳିତା

-

କେମିତି ?

ବିଶାଖା

-

ଯମୁନାରେ ଚନ୍ଦ୍ରକିରଣର ଖେଳା ଦେଖି କାହ୍ନୁ ଉଚ୍ଚାଟମନା ।

ଲଳିତା

-

ତେବେ ତ ଆମ ପରିଶ୍ରମ ସଫଳ ଆଉ ରାଧାର ବାଧା ନାହିଁ । ଶ୍ୟାମ ତେବେ ନୀଳ ମେଘରେ ବିଜୁଳିଖେଳା ଦେଖିବାକୁ ବ୍ୟସ୍ତ ହୋଇପଡ଼ିଲେଣି, ଭଲ ଭଲ !

ବିଶାଖା

-

ବାକି ଅଛି ବରଷାକାଳ ।

ଲଳିତା

-

ବୃନ୍ଦାବନରେ ଅଦିନ ବରଷାର ଅଭାବ ହେବ ନାହିଁ । ଯମୁନା ଥିଲେ, କୁଞ୍ଜ ଥିଲେ ଆଉ ଶ୍ରୀମତୀ ଥିଲେ ।

 

 

( ମଧୁ ଆସୁଥିଲେ )

ବିଶାଖା

-

( ମଧୁଙ୍କୁ ଦେଖାଇ ) ହେଇଟି ତ ମଧୁ ।

ମଧୁ

-

ମୋରି ପଥ ଚାହିଁ ସେତିକିବେଳୁ ଏଠି ଅଛ ନା ?

ଲଳିତା

-

ଠିକ୍‌ ତା ନୁହେଁ ...

ମଧୁ

-

ତେବେ ?

ବିଶାଖା

-

ଅଧାଅଧି ।

ମଧୁ

-

କିନ୍ତୁ ... ( ମୁଣ୍ଡ କୁଣ୍ଡାଇଲେ ଭାବିବାପରି )

ବିଶାଖା

-

କିନ୍ତୁଟା ପୁଣି କଅଣ ?

ମଧୁ

-

ଟିକିଏ କିନ୍ତୁ ଅଛି ସେଥିରେ ।

ଲଳିତା

-

କେମିତି ?

ମଧୁ

-

ଭୋଜନପରେ ଦକ୍ଷିଣାର ଅଭାବ ହେଲେ ଯେମିତି ।

ଲଳିତା

-

ଏ କିନ୍ତୁ ... ସଦକ୍ଷିଣା ଭୋଜନ ।

ମଧୁ

-

ତେବେ ହାତେ ହାତେ ଫଳ - ତାଳ ପଡ଼ିବାକୁ କାଉ ଝାମ୍ପିବାକୁ ।

ଲଳିତା

-

ଜାଣ ତ, କାଲି କାହ୍ନୁଙ୍କ ଜନ୍ମଦିନ । ସେତିକିବେଳେ ଆଉ ଥରେ ମୁଁ ଭେଟର ସୁଯୋଗ କରାଇଦେବି ।

ମଧୁ

-

ଯାହା କରିବାର, ଏଣିକି କର । ଦେଖ, ଯେମିତି ବିଳମ୍ବ ବେଶି ନ ହୁଏ । ମୁଁ ଗଲି, ଖାଲି ତୁମକୁ ଖବରଟା ଦେବି ବୋଲି କାହ୍ନୁଙ୍କୁ ଠକି ଦେଇ ଆସିଥିଲି । ସେ ମୋ ବାଟ ଅନାଇ ଥିବେ । ମୁଁ ଆଉ ରହିପାରୁ ନାହିଁ । ( ପ୍ରସ୍ଥାନ )

ଲଳିତା

-

ସହି ତୁ ଯା, ବୃନ୍ଦାଙ୍କୁ ଏ ସଂବାଦ ଦେବୁ । ଦେବୀ ପୌର୍ଣ୍ଣମାସୀଙ୍କ ଉପଦେଶ ନେଇ ଯାହା ହେବ, କରିବେ ସେ । ମୁଁ ଶ୍ରୀମତୀଙ୍କ ପୁରକୁ ଗଲି । ତାଙ୍କର ଅବସ୍ଥା ତ ଜାଣୁ, ଯା ।

 

 

( ଦୁହେଁ ଦୁଇ ପଥରେ ଚାଲିଗଲେ )

 

୭ମ ଦୃଶ୍ୟ

( ଶ୍ରୀମତୀଙ୍କ କକ୍ଷ - ଭୋର୍‌ ହୋଇଗଲାଣି - ପ୍ରଦୀପ ଜଳୁଥିଲା ଧୀରେ ଧୀରେ - ନିସ୍ତବ୍‌ଧ ଚାରିଆଡ଼େ - କେବଳ ଗୋଟିଏ ଗୋଟିଏ ପ୍ରଭାତି ପକ୍ଷୀ ଡାକୁଛନ୍ତି । କୁଟିଳା କାଖରେ ଗୋଟିଏ ମାଠିଆ ଧରି ଆସିଲେ )

 

କୁଟିଳା

-

ମଲା, ଆସି ପାହାନ୍ତା ହେଲା - କାଉ କୋଇଲି ଡାକିଲେଣି, ଆହୁରି ରାତି ସରି ନାହିଁ ? ଲୋକଙ୍କ ଘରେ ଆଉ ବୋହୂ ନାହାନ୍ତି ! ଛୁଇଁଲେ ଛ’ଘା ଲୋ ମାଆ - ମୁଁ ଉଠୋଉ ନାହିଁ । କାଲି ତ ଟିକକରେ ମୋହ ଗଲେ । କଅଣ ଟିକିଏ ହେଇଥିଲା ଯେ, ସେଥିରେ ନିଦ ଭାଙ୍ଗିବାକୁ ନାହିଁ । ଆସୁ ଭାଇ, ଆସି ଦେଖୁ ବୋହୂଙ୍କ ଚଞ୍ଚଳପଣିଆ - ‘‘ଚଞ୍ଚଳୀ ଉଠିଲେ ଖରେ, ନା ଆଖି ମଳୁ ମଳୁ ଗୋରୁଗାଈ ପଶୁଛନ୍ତି ଘରେ’’ - ଶୁଅ ଲୋ ମା, ଶୁଅ । ରଜାଘର ଝିଅ, କେତେବେଳେ ପହୁଡ଼ ଭାଙ୍ଗୁଛି ଭାଙ୍ଗୁ । ମୁଁ ଯାଏଁ ପାଣିକି ଉଠେଇବି - ନାଇଁନାଇଁ ଯେବେ କଣ ହବ, ଦୋଷ ହବ ମୋରି ଉପରେ । ଥାଉ... ( ଚାଲିଗଲେ ) ( ଟିକିଏ ପରେ ଲଳିତା ଓ ବିଶାଖା ଆସିଲେ )

ବିଶାଖା

-

( ଅନ୍ତରାଳରୁ ) ଆଜି ତ କାହିଁକି ଏଡ଼େ ଉଛୁର ?

ଲଳିତା

-

( ପ୍ରଥମେ ଆସି ଶ୍ରୀମତୀ ଶୋଇଥିବାର ଦେଖି ବିଶାଖାକୁ ସଙ୍କେତରେ ତୁନି ହେବାକୁ ଜଣାଇଲେ ) ରାତିରେ ତ କାଲି ଦିହ ସୁଖ ନ ଥିଲା, ଆଉ ଟିକିଏ ଶୁଅନ୍ତୁ । ଲାଗି ହାର ଚନ୍ଦନ ଏଇଠି ରଖିଦେ । ଚାଲ, ଟିକିଏ ନିଦ ଭାଙ୍ଗିବାଯାଏ ତକେଇବା । ଯିବା ତ ଯମୁନା - ତରତର କାହିଁକି ? ( ବିଶାଖା ଫୁଲ ଇତ୍ୟାଦି ରଖିଲେ - ଦୁହେଁ ଚାଲିଗଲେ । ଶ୍ରୀମତୀଙ୍କ ମୁଣ୍ଡପାଖରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଆବିର୍ଭୂତ ହେଲା - ଶ୍ରୀମତୀ ଯେମିତି ଦେଖୁଛନ୍ତି ସ୍ୱପ୍ନରେ ତାଙ୍କୁ କିଏ ଡାକିଲା - ‘‘ରାଇ ! ନିଦ ଭାଙ୍ଗିଲା ନାହିଁ । ଶୁଭିଲା ଶ୍ୟାମବଂଶୀ । ଚମକି ଉଠିଲେ ଶ୍ରୀମତୀ )

ଶ୍ରୀମତୀ

-

( ହଠାତ୍‌ ଉଠିବସି ଦେଖିଲେ ଶ୍ୟାମରୂପ ଛାୟା ) ଆରେ ! ଜାଗି ବସିଛ ତୁମେ ନଟବର ! କ୍ଷମା କର ମୋତେ ଶ୍ୟାମ ! କୋଳରେ ତୁମର ଘୁମାଉଁଘୁମାଉଁ ଶୋଇପଡ଼ିଲି ମୁଁ । ଆସ ବନ୍ଧୁ, ଚରଣ ସେବା କରି ଧନ୍ୟ ହୁଏ ମୁଁ ।

ଛାୟା

-

ଭୋର୍‌ ହେଲା ରାଈ, ଆଜି ମୋତେ ବିଦାୟ ଦିଅ ।

ଶ୍ରୀମତୀ

-

ବିଦାୟ ! ହଁ ତ, ଭୋର ହେଲା । କୁଟିଳା... ଓଃ ଆସିବ ସେ ! ଟିକିଏ ତେବେ ଆଉ...ଲଳିତା ! କଅଣ ହେଲା ମ ସହି ? ହାର ? ରଖିଥିଲି ପରା ? ଲଳିତା ! ( ହାର ଦେଖି ) ନା, ଅଛି ଅଛି, ଏଇଠି ଅଛି ତ । ଆସ ସଖା, ଆସ ଗିରିଧାରି ! ଧନ୍ୟ କର ଜୀବନ ମୋର । ( ଦୀପ ଆଣି ଆରତୀ କଲେ - ଚନ୍ଦନ ଦେଲେ - ହାର ଦେବାକୁ ଗଲେ )

( ଗୀତ )

ଗିରିଧାରି, ଗିରିଧାରି,

ମନ-ମନ୍ଦିର ଉଜ୍ଜ୍ୱଳ କର ଆଗୋ ସୁନ୍ଦର !

ଶରଣ ଚରଣେ ବ୍ରଜନାରୀ ।୦।

 

ରଙ୍ଗଚରଣପର ନୂପୁର ସାଜେ

ପୀତବସନ ନୀଳଅଙ୍ଗ ବିରାଜେ ।

କୁଞ୍ଜଭବନେ ବଜାଅ ମୂରଲୀ

ରାଧା ରାଧା ଫୁକାରି ।୧।

 

କନକ କେୟୂର କୁଣ୍ଡଳଧାରି !

କାନ୍ତି ମଞ୍ଜୁଳ ନବଘନହାରୀ ।୨।

ପ୍ରୀତି-ଫୁଲ-ଚନ୍ଦନ, ଘେନ ବ୍ରଜସୁନ୍ଦର

ଗୋପୀଜନ-ମନୋହାରୀ ।୨।

( ମାଳା ଦେବାବେଳକୁ ଲଳିତା ଆସି ଡାକିଲେ )

 

ଲଳିତା

-

ରାଈ !

 

( ଶ୍ରୀମତୀ ଫେରିଚାହିଁଲେ - ମାଳାଟି ହାତରୁ ପଡ଼ିଗଲା । ଛାୟା ଲୁଚିଗଲା । ଲଳିତା ମଧ୍ୟ ଚାହିଁଥିଲେ ଶ୍ରୀମତୀଙ୍କୁ )

ପଟ୍ଟ ପତନ

 

ଦ୍ୱିତୀୟ ଅଙ୍କ - ପ୍ରଥମ ଦୃଶ୍ୟ

[ଶ୍ରୀମତୀଙ୍କ କକ୍ଷ -ଶ୍ରୀମତୀ ଅର୍ଦ୍ଧଶାୟିତା ଓ ପାର୍ଶ୍ୱରେ ଲଳିତା - ସମୟ ଶେଷରାତ୍ରି ]

 

ଶ୍ରୀମତୀ

( ଗୀତ )

ଚନ୍ଦ୍ର ଛପେ ସଖି ! ଶେଷ ସୁଖନିଶି

ପାଶେ ଥିଲେ ସାଥି ମୋର ( ମନଚୋର ) ।୦।

ନୟନ ଜଳେ ସଖି,

ଚରଣ ପଖାଳିଲି,

କୁସୁମ ଚନ୍ଦନେ ବନ୍ଧୁରେ ବନ୍ଦିଲି

ଅରପି ପୀରତି-ହାର ।୧।

 

ଥରିଲା ତନୁସାରା-ଘନ ଶୀତ କମ୍ପନେ

ବାଣୀ ନ ଫୁରିଲା ଏ ମୋର ଲପନେ -

ଡାକିବାକୁ ପ୍ରିୟ ମୋର ।୨।

ସପନ କି ସତ ସତେ, ବାରି ନ ପାରିଲି

କାୟା କିବା ଛାୟା ନିରେଖି ଚାହିଁଲି

ହେଲା ସଖି ! ନିଶି ଭୋର ।୩।

 

( ପହଞ୍ଚିଲା ଜଟିଳା - ଲଳିତା ଶ୍ରୀମତୀଙ୍କୁ ତୁନି ହେବାର ସଙ୍କେତ ଦେଲେ )

ଜଟିଳା

-

କିଏ, ଲଳିତା ?

ଲଳିତା

-

ହଁ, ମୁଁ ବସିଛି ।

ଜଟିଳା -

-

ଭ’ଲ, ବୋହୂଦିହ କିମିତି ଅଛି ?

ଲଳିତା

-

ଟିକିଏ ଭଲ ଅଛି ତ ।

ଜଟିଳା

-

ଆଜି ପରା କାହ୍ନୁଙ୍କ ଜନମଦିନ - ଯା, ଯମୁନାରେ ଗାଧୋଇ ଆସିବ । ତାଙ୍କର ଡକରା ଆସିବ ଏଇନେ - ବୋହୂ ପରା ଯିବେ ? ମୁଁ ତେଣେ ସବୁ ସଜିଲ କରେଁ । କୁଟି କାଇଁ ?

ଲଳିତା

-

ଜାଣି ନାଇଁ ମୁଁ ।

ଜଟିଳା

-

କୋଉ ପହରୁ ଯାଇଥିଲା ଗାଧୋଇ... ଘରେ ପାଣିଟୋପିଏ ନାହିଁ, ସେ କଅଣ ସେମିତି ଆସିବ ? କେତେ ଠା କଣ୍ଟାବାଡ଼ରେ କାନି ପକେଇ ପକେଇ ଆସୁଥିବ । କୁଟି ! ଏ କୁଟି ...

ନେପଥ୍ୟେ

-

କଅଣ ?

ଜଟିଳା

-

ନାହିଁ, କିଛି ନାହିଁ । ତୁ ଆଇଲୁଣି କି ନାଇଁ ପଚାରୁଥିଲି । ଯାଉଛି । ( ଫେରି ) ଲଳିତା ! ବୋହୂଙ୍କୁ ସଙ୍ଗରେ ନେଇ ଯା । ( ପ୍ରସ୍ଥାନ )

ଲଲିତା

-

ହଁ ।

ଶ୍ରୀମତୀ

-

ସହି, ଯିବା ?

ଲଲିତା

-

ମୋତେ କାହିଁକି ପଚାରୁଛ ? ମନକୁ ପଚାର ।

ଶ୍ରୀମତୀ

-

ଯମୁନାତଟରେ ଥରେ ସେ ଶ୍ୟାମରୂପ ଦେଖିବି, ଯେତେବେଳେ ଏଇ ଆଶାରେ ମୋର ଉତ୍କଣ୍ଠା ଜାଗୁଛି ସହି ! ପାଦ ମୋର ଅବଶ ହୋଇପଡ଼ୁଛି, ଛାତିଟା କେମିତି ଥରଥର ହେଉଛି । ସେ ଭାବନାରେ ମୁଣ୍ଡ ଘୁରିଯାଉଛି । ଯାଇପାରିବି ଟି ମୁଁ ଯମୁନାଯାଏ ?

ଲଳିତା

-

( ହସି ) ହୁଏ, ହୁଏ ଗୋ ରାଈ ! ପ୍ରିୟ-ମିଳନ ଆଗରୁ ମିଳନର କଳ୍ପନା ବଡ଼ ଦଗାଦିଆ । କେତେବେଳେ ଉଜାଣି, କେତେବେଳେ ଭସାଣିରେ ନାଆ ଥିର ହୋଇପାରେ ନାହିଁ । ବାକି ସହି, ତୁମେ ମନ ଦମ୍ଭ କର, ଯେମିତି ନନ୍ଦପୁରରେ ଧରା ନ ପଡ଼ ।

ଶ୍ରୀମତୀ

-

ଛାତିଭିତରଟା ଯେ ଫାଟିଯାଉଛି ଲଳିତେ !

ଲଲିତା

-

ଆମ ଅବଳା ଜାତିର ସେଇଟିକକ ବଳ । ଛାତି ଫାଟୁ ପଛେ - ମୁହଁ ନ ଫିଟୁ, ସେଥିକି ସାବଧାନ ଥିବ ।

ଶ୍ରୀମତୀ

-

ଆଚ୍ଛା ସହି ! ସତରେ କ’ଣ ସେ ମୋଲାଗି...

ଲଲିତା

-

ମୁଁ ତ ସେମିତି ଶୁଣିଛି । ଆସ ଯିବା । ମୁଁ ବିଶାଖାକୁ ପଠେଇ ସବୁ ବୁଝିନେବି । ବାକି ସହି ! ଯେତେ ଦୂର ଜାଣେ, ତମ ଛାତିଫଟା ବିନତି ତାଙ୍କ ମନରେ ନ ବାଜି ଶୂନ୍ୟରେ ଉଡ଼ିଯାଉ ନାହିଁ କେବେ ।

ଶ୍ରୀମତୀ

-

( ନିଃଶ୍ୱାସ ମାରି ) ସେ ଜାଣନ୍ତି !

ଲଳିତା

-

( ହସି ) ମୁଁ ଜାଣେ ଗୋ ।

( ଗୀତ )

ନବୀନା ରେ, ମିଛେ ଏ ଭାବନା କାହିଁକି ?

ଉଇଁଲେ ନବଘନ ବିଜୁଳି ଛନଛନ,

କାନନ କେକୀ ବୁଝେ ନାହିଁ କି ରେ ?

ଆସିଲେ ଋତୁରାଜ - ବଉଳଫୁଲ ସାଜ

ନୋହିବ କଳାପିକ ବାଇ କି ରେ ?

ନଭେ ଶଶୀ ଉକୁଟେ - ନୀରେ ତା ଛବି ଫୁଟେ

କାୟା କି ଛାଡ଼ି ରହେ ଛାଇକି ରେ ?

( ଗୀତ ଗାଇ ଗାଇ ରାଧାଙ୍କୁ ନେଇ ଚାଲିଗଲେ )

 

୨ୟ ଦୃଶ୍ୟ

( ଯମୁନାତଟବାହୀ ବନପଥ - ସମୟ ପ୍ରଭାତ - ଶ୍ରୀକୃଷ୍ଣ ଫୁଲହାର ଘେନି ପ୍ରବେଶ )

 

ଶ୍ରୀକୃଷ୍ଣ

( ଗୀତ )

କମଛବି ଛଇଳାର,

ମୋର ନୟନେ ନାଚିଲା ସୁମନା ରେ ।୦।

ସତେ ଭାଗ୍ୟ ହେବ ମୋର ?

କାମକଳା ଛଇଳାର

କଳକଣ୍ଠ ପରଶିବି ଶରଧାରେ,

 

ଶିଶୁ କୁରଙ୍ଗୀ ନୟନା

ଲଳିତ ଅଙ୍ଗୀ ଶୋଭନା

ଚାହିଁବ ଚନ୍ଦ୍ର ବଦନା

ଆଡ଼ନୟନେ, ହସିବ ବସୁଧା ରେ ।୧।

 

ମଧୁ

-

( ପଛରୁ ପ୍ରବେଶି ) ମଧୁ ମଧୁ, ମଧୁ !

 

-

( ଶ୍ରୀକୃଷ୍ଣ ଫେରିଚାହିଁଲେ )

ମଧୁ

-

( ହସି ) କଅଣ କି ସଖା, ତୁମେ କେଉଁଠିକି ଅନୁକୂଳରେ ବାହାରିଥିବ ନା - କାଳେ ତୁମର ଅଭିସାର ବିଗିଡ଼ିଯିବ, ସେଇଥିପାଇଁ ମୁଁ ମୋ ନିଜ ନାଆଁ ଧରି ଡାକିଲି । ତମକୁ ଡାକିବି କାହିଁକି, ମୂର୍ଖତଳେ ନାଆଁ ଲେଖେଇବି କାହିଁକି ?

କୃଷ୍ଣ

-

ବଡ଼ ବୁଦ୍ଧିଆ ତ ?

ମଧୁ

-

ନୋଇଲେ ତୁମପରି ଗୋଖରକୁ ପେଡ଼ିରେ ରଖିପାରନ୍ତି ? ଲୁଚାହେଲା ହାତରେ ସେଇଟା କଅଣ କି ? ଛେନାମଣ୍ଡା ?

କୃଷ୍ଣ

-

ଅନୁମାନଟା ଏକାବେଳକେ ସତ ।

ମଧୁ

-

ମିଥ୍ୟା ତ ହୋଇ ନ ପାରେ । ହୁଏତ ସେଇଟା ଛେନାମଣ୍ଡା - ନୋହିଲେ ଛେନାମଣ୍ଡା ଜନମ କରିବା ମାଆ ।

କୃଷ୍ଣ

-

ବୋଇଲେ... ?

ମଧୁ

-

ବୋଇଲେ କି, ଯହିଁରୁ ବା ଯାହାଦ୍ୱାରା ଅଥବା ଯାହା ଘେନି କିଂବା ଯାହା ସମ୍ପର୍କରେ ଅବା ଯାହା ସଂସ୍ପର୍ଶରେ ଛେନାମଣ୍ଡା ଖାଇହୁଏ. ନୋହିଲେ ଖାଇବାର ଫଳମିଳେ । ଏଥର କହ, ଚିଜଟା କଅଣ ?

 

-

 

କୃଷ୍ଣ

-

କହନ୍ତି... ବାକି ତମକୁ କହି ଫଳ କଅଣ ?

ମଧୁ

-

ଆଉ କାହାକୁ କହିବ ?

 

-

( ବିଶାଖା ଆସୁଥିଲେ )

ବିଶାଖା

-

( ଆସୁଆସୁ ଫେରିଚାହିଁ ) ଆସ ।

ନେପଥ୍ୟେ

-

ହଁ ।

ବିଶାଖା

-

ଯାଉଛି ।

ମଧୁ

-

( ବିଶାଖାଙ୍କପ୍ରତି ) ଆସ ।

ବିଶାଖା

-

ଆରେ... ମୁଁ ତେଣେ ଜବାବ ଦଉଥିଲି,

ମଧୁ

-

ମୁଁ ଏଣେ ଡାକୁଚି ପରା ।

ବିଶାଖା

-

ଏଣେ କୁଆଡ଼େ ?

ମଧୁ

-

( ଶ୍ରୀକୃଷ୍ଣଙ୍କୁ ଠାରି ଦେଖାଇ )

କୃଷ୍ଣ

-

ସତେ ଗୋ ବିଶାଖେ !

 

( ଗୀତ )

ଚାହିଁ ଚାହିଁ ତୋ ସରଣୀ - କକୁଭକୁ ରେ ତରୁଣୀ

ଚିତ୍ରାର୍ପିତପରି ଥିଲି ବସି,

ଚିତ୍ର ମଣିଲି ମୁଁ ଚିତ୍ତେ - ଚାହିଁ ଯା ଅତରକିତେ

ଚାରିଚକ୍ଷୁ ମିଶାଇଲୁ ଆସି ରେ ।

 

ବିଶାଖା

-

ଥାଉ ଥାଉ କାହ୍ନୁ ! ଏମିତି ମିଛ କେବେ କହିଶିଖିଲ ?

ମଧୁ

-

ଜନମ ଆଗରୁ ମିଛୁଆ ସେ, ତାଙ୍କ କଥା କଅଣ ପଚାରୁଛ ? ରଜାପୁଅ, ତାଙ୍କର ଅଭାବ କଅଣ ? ସେ ଭଲା କାହିଁକି ଚାହାନ୍ତେ ? ମୁଁ... ମୁଁ...

 

( ଗୀତ )

ଚାହିଁ ଚାହିଁ ତୋ ସରଣୀ - ଚେପେଟା ଚନ୍ଦ୍ରବଦନି !

ଚାଟୁଥିଲି ଚଲ୍ଲାପତୁଲିକି,

ଚହଳ ଦେଲୁ ପକାଇ - ଚାରିଆଡ଼ଯାକ ତୁହି

ଚାଉଁକିନି ଚାହିଁଲି ଚମକି, ଆରେ ଚକାଆଖି !

ଚଣା ତୁ ଚୋବାଉଥିଲୁ ସଖି !

ଚଡ଼ଚଡ଼ ଶୁଭୁଥିଲା - ଚଳ ଲାଳ ଶ୍ରବୁଥିଲା

ଚନ୍ଦ୍ର ସୂର୍ଯ୍ୟ ଅଛନ୍ତି ତ ସାକ୍ଷୀ ରେ ଚକାଆଖି !

 

ବିଶାଖା

-

ବୃନ୍ଦା ମତେ ପଛରୁ ଡାକିଲାବେଳୁ ଜାଣିଛି ମୁଁ ଗୋଟେ କିଛି ଅମଙ୍ଗଳ ଘଟିବ । ହଉ ହଉ, ମୁଁ ଯଶୋଦା ରାଣୀଙ୍କି ଭେଟି ତାଙ୍କ ପୁଅଙ୍କ ଗୁଣସବୁ କହୁଛି ଯେ...

ମଧୁ

-

ଆଉ ତାସଙ୍ଗେ ମୋ ଗୁଣ ବି ଟିକିଏ କହିଥିବ ସଖି !

ବିଶାଖା

-

ହଉ, ପରିହାସଟା ସେତିକିବେଳେ ଛାଡ଼ିଯିବ ଯେ । ମୁଁ ଯାଏଁ, ଅଟକା ନାହିଁ ମୋତେ । ଯମୁନା ଯିବି ଫେର୍‌।

ମଧୁ

-

ମୁଁ ?

ବିଶାଖା

-

କାହିଁକି ?

ମଧୁ

-

ଆଉ ତୁମେ କାହିଁକି ?

ବିଶାଖା

-

ମୁଁ ଯିବି, ଆମ ସଖି ସେଠିକି ଯାଇଛନ୍ତି ଗାଧୋଇ ।

କୃଷ୍ଣ

-

ସଖି !

ମଧୁ

-

କୋଉ ସଖି ? ଲଲିତା ?

ବିଶାଖା

-

ନା ।

ମଧୁ

-

ବୃନ୍ଦା ?

ବିଶାଖା

-

ନା, ରାଧା ।

ମଧୁ

-

ହଁ, ସେଇ ତ ଯେତେକ ବାଧା ।

ବିଶାଖା

-

ହଉ, ମୁଁ ଯାଏଁ ?

ମଧୁ

-

ବାକି ରହିଗଲା କଥା ଅଧା ।

ବିଶାଖା

-

ସତେ ? ( ଚାଲି ଯାଉ ଯାଉ ) ହଉ ହଉ ।

କୃଷ୍ଣ

-

ମଧୁ ! ( ହାର ଦେଖାଇ ମଧୁଙ୍କ କାନରେ କହିଲେ )

ମଧୁ

-

ଆହା ହା ! ଚାଲିଗଲେ ଯେ... ସବୁଥିରେ ତ ପଛବୁଦ୍ଧିଆ । ( ବଡ଼ ପାଟିରେ ) ସଖି ! ସଖି ବିଶାଖେ ! ଓ ପ୍ରିୟ ସଖି ! ଆଃ, କହିଲି ପରା - ରହିଗଲା କଥା ଅଧା ।

ବିଶାଖା

-

( ଫେରି ) ଫେର୍‌ କଅଣ କଥା ?

ମଧୁ

-

ଯୋଉଟା ଅଧା ଅଛି ।

ବିଶାଖା

-

କୋଉଟା ମ ?

ମଧୁ

-

ସବୁ ତ କହିଲ, ଆଉ ଗୋଟିଏ କଥା କହନ୍ତି ସଖି...

ବିଶାଖା

-

କ’ଣ, ଭୟ କି ନିର୍ଭୟ ?

ମଧୁ

-

ଆମର ଭୟ, ତମର ନିର୍ଭୟ ।

ବିଶାଖା

-

କଅଣ କହିଲଦେଖି, ଶୁଣେଁ ।

ମଧୁ

-

( ମୁଣ୍ଡ କୁଣ୍ଡାଇ ) କହିବି ? ( ଶ୍ରୀକୃଷ୍ଣଙ୍କୁ ଚାହିଁ ) ସଖା ! ଏଁ ମୁଁ କହିବି ? ଉଁ, ତୁମେ କହିଲେ ହୁଅନ୍ତା ନାହିଁ ?

ବିଶାଖା

-

କାହିଁ ଯେ ଏତେ ଠେସାଠେସି ? କଅଣ କହୁନା ?

ମଧୁ

-

( ମାଳା ଦେଖାଇ ) ବିଶାଖେ ! ସଖା ଆମର ଏଖଣ୍ଡି...

ବିଶାଖା

-

କଅଣ ହେଲା, କହୁନା ।

ମଧୁ

-

ଏଖଣ୍ଡି ଗୁନ୍ଥିଛନ୍ତି ।

ବିଶାଖା

-

ବେଶ୍‌ ବେଶ୍‌ ! ସୁନ୍ଦର ତ ହେଇଛି । ଏମିତି ହାରଗୁନ୍ଥା ସତରେ କେବେ ଦେଖି ନ ଥିଲି । ବାଃ, ଭାରି ସୁନ୍ଦର ହେଇଛି !

ମଧୁ

-

( କୁଣ୍ଠିତ ହେବାପରି ) ସଖା ଗୁନ୍ଥିଛନ୍ତି ।

ବିଶାଖା

-

ବୁଝିଲି ଯେ, ଭାରି ସୁନ୍ଦର ହେଇଛି, ବହୁତ ବେଳ ଲାଗିଥିବ ।

ମଧୁ

-

ଏ ଖଣ୍ଡି ତମ...

ବିଶାଖା

-

ରହିଗଲ ଯେ, କଅଣ କହୁଥିଲ ?

ମଧୁ

-

ସଖା ଆମର ବଡ଼ ଆଦରରେ...

ବିଶାଖା

-

ହଁ ହଁ, ତା ନୋହିଲେ, ଏଡ଼େ ସୁନ୍ଦର ହେଇ ଗୁନ୍ଥାହୁଅନ୍ତା କେମିତି ?

କୃଷ୍ଣ

-

ବିଶାଖେ ...

ବିଶାଖା

-

ମୋତେ ତେବେ କାହିଁକି ଡାକିଥିଲ ନଟବର ?

ମଧୁ

-

ଏ ମାଳାଖଣ୍ଡି ନବ...

ବିଶାଖା

-

ନା ନା; ଛି, କାହ୍ନୁ କେତେ ଆଦରରେ ଗୁନ୍ଥିଛନ୍ତି - ମୁଁ ନେବି ? ଛି ଛି !

ଶ୍ରୀକୃଷ୍ଣ

-

ବିଶାଖେ ! ଗୁନ୍ଥିଛି ସତ; ବାକି ଏ ଗୁନ୍ଥାର ମୂଲ୍ୟ ତୁମେ ବୁଝିବ ସିନା !

ବିଶାଖା

-

ଏ କିମିତି କଥା କାହ୍ନୁ ?

ମଧୁ

-

ଏ ମାଳାଖଣ୍ଡି ନେଇ...ତୁମ ଉଁ... ଏ ମାଳା... ସଖା ଆମର ତମ ସଖୀଙ୍କଲାଗି...

ବିଶାଖା

-

( ଚମକି ) ବଟୁ । ଏ କି କଥା କହୁଛ ? କାହ୍ନୁ ଏକଥା କଅଣ ସତ ?

କୃଷ୍ଣ

-

( ନୀରବ )

ମଧୁ

-

ସଖା ! ତୁନି ହୋଇ ରହିବା ଦରକାର କଅଣ ? ଆମେ ହେଲେ ରଜା-ପୁଅ, ଡର କାହାକୁ ? ଆମେ ଯାହା କରିବା, ସେ ଭଲ, ସେ ସୁନ୍ଦର । ଆମେ କଅଣ କେବେ କିଛି ଅନ୍ୟାୟ କରିପାରୁଁ ?

ବିଶାଖା

-

ତେବେ କଅଣ କଥାଟା ସତ ?

ମଧୁ

-

ସେଇ ନିର୍ବୋଧଦୋଷରୁ ଦଇବ ତମ ମୁଣ୍ଡରେ ଦିନରାତି ବୋଝ ନଟି, ପଶରା ଦେଇ ଛାଡ଼ିଛି । ଚିଜ ମିଠା; କିନ୍ତୁ ବିକିବ ତୁମେ ଚାଖିବ ନାହିଁ କେବେ । ଭୟଙ୍କର କିସମର ଉଲୁ ତୁମେମାନେ ।

ବିଶାଖା

-

କଅଣ ସର୍ବଜ୍ଞ ପାଠ ପଢ଼ିପାରିଲି ନାହିଁ ବୋଲି... ହଉ, ମୁଁ ଯାଉଛି - କାଳେ ଆମ ଗନ୍ଧ ବାଜି ତୁମେମାନେ ଉଲୁ ପାଲଟିଯିବ ।

କୃଷ୍ଣ

-

( ପଥଜଗି ) ନାହିଁ ସହି, ସଖା ସବୁବେଳେ କଉତୁକପ୍ରିୟ, କଅଣ ଜାଣି ନା ତାଙ୍କ କଥା ?

ବିଶାଖା

-

ହଉ ହଉ, ସେ ତ କଉତୁକ ତଳେ ଗଲେ - ତମ କଥାଟା କହିଲ ।

ମଧୁ

-

ତାଙ୍କ କଥାଟା ମୁଁ କହିଲେ ଚଳିବ ନାହିଁ ସଖି ? ( ଶ୍ରୀକୃଷ୍ଣଙ୍କ ହାତରୁ ଫୁଲହାରଟି ନେଇ ) ଏଇ... ନେଇ... ଶ୍ରୀଚରଣରେ ଦେଇ... ସେଇ...

ବିଶାଖା

-

ବୁଝିଲି ଯେ, ବାକି...

କୃଷ୍ଣ

-

ବିଶାଖେ...

ମଧୁ

-

ଆଃ, ତାଙ୍କ ବକ୍ତିମାତକ ଶେଷ କରିସାରନ୍ତୁ - ଥୟ ହେଲେ ହୁଏ କି ! ଆଗେ ଶୁଣ, ସଖୀ କଣ ଭାଷିବେ । କହିବଟି ସଖି, - କଅଣ ତମର... ବାକି...

ବିଶାଖା

-

ବାକିଟା କହିବାକୁ ତର ନାହିଁ ମୋର - ଦେବାକୁ କହୁଚ, ମୁଁ ଦେଇଦେବି । ସେ ଘେନା ନ କଲେ...

ମଧୁ

-

ଠିକ୍‌ କଥା । କିଓ ସଖା, ଏଥିକି ବାଗଡ଼ି ?

କୃଷ୍ଣ

( ଗୀତ )

ଘେନୁ ନ ଘେନୁ ସେ ଅନାଉଁଣି ତାର

ମୋ କୋଟି କଳପ ଫଳ,

ସଜନି ରେ, ସେତିକି ଆଶା ମାତର ।।୦।।

 

ଖଞ୍ଜନ-ନୟନ-ଅଞ୍ଜନ ଖେଳାଇ

ଅଳପ ଦେଉ ସେ ଚାହିଁ ।

ହୁକୁମ କରୁ ସେ କୁଙ୍କୁମଗଉରୀ

ଚରଣରେ ଦଳିବାର ।୧।

 

ନାହିଁ ପଛେ ଭାଷୁ ଶ୍ରୀମୁଖ ବିକାଶୁ

ମୋ’ ଲାଗି ଥରେ ସୁହାସି,

ତା’ ଶିରଝୁଲ ରେ ମୋ ମତିଭୁଲା ରେ

ଭଲା ତୁ ଏତିକି କର ।୨।

( ସମସ୍ତଙ୍କ ପ୍ରସ୍ଥାନ )

 

ତୃତୀୟ ଦୃଶ୍ୟ

( ଯମୁନାତଟ - ରାଧା ଓ ଲଳିତା କଥା ହେଉଥିଲେ - ପାଖରେ ପାଣିଗରା ଥୁଆ ହୋଇଥିଲା )

 

ରାଧା

-

ଯେତେ ଉଛୁର ହେଉଛି ସହି, ତେତିକି ମନରେ ମୋର ସନ୍ଦେହ ଆସୁଛି ।

ଲଳିତା

-

ବାକି ଯେତିକି ତେଣେ ଉଛୁର ହେଉଛି, ମୋର କାହିଁକି ମନେ ହେଉଛି, ଯେମିତି ବିଶାଖା...

ରାଧା

-

ମନଦୁଃଖରେ ଫେରୁଛି ।

ଲଳିତା

-

ଉଁହୁଁ, କାହ୍ନୁଙ୍କ ସଙ୍ଗରେ ନେଇ ଆସୁଛି ।

କୁଟିଳା

-

( ପ୍ରବେଶ କରି ) ଆସୁଛି ? ଆସୁଛି ତମରି ପାଖକୁ । ଦେଖିଲ ତ ମୋରି ଗୋଡ଼ରେ ବଳ ବେଶୀ ! ଦେଖିଲାକୁ ପୁଣି କୁହା ହଉଚ କୁଟିଳା ଆସୁଛି । ମୋରି ବିଚାର - ମୁଁ ତ ତମ ସମସ୍ତିଙ୍କ ଆଖିର କଣ୍ଟା ।

ରାଧା

-

ଦେଖୁଛ ସହି ?

ଲଳିତା

-

ମଲା, କିଏ କହୁଥାଏ କାହା କଥା, ନା...

କୁଟିଳା

-

ନାଁ କଅଣ ମ ? ଗାଧୋଇବାକୁ ତ ଆସି ଏଠି ବସିଚ ଯେ ବସିଚ । କଅଣ କୋଉଥିକି ଘୁରୁଘମ, ଅଛି ?

ଲଳିତା

-

ସତରେ ତ, ଘରେ ଏମିତି କୋଉ କାମ ଅଛି କି ? ଜାଣିଛ ତ ଶ୍ରୀମତୀଙ୍କ ଦେହ ଭଲ ନ ଥିଲା । ସେ ଏବେ ଟିକିଏ ଥକା ମାରି ଯିବାକୁ କହିଲେ; ଏଥିକି ଦୋଷ କ’ଣ ହେଲା ?

କୁଟିଳା

-

ହେଲା ନାହିଁ ତ, ମତେ କାହିଁକି ଦଉଡ଼େଇଲ ?

ରାଧା

-

ଆମେ କଅଣ ଯାଇ ନ ଥାନ୍ତୁ ?

ଲଳିତା

-

ନାଇଁ ମ, ତାଙ୍କ ଆଖିରେ ଚନ୍ଦ୍ର-ସୂର୍ଯ୍ୟ ଜଳୁଛନ୍ତି ନା, ସେ ବାଟ କଢ଼େଇନେବେ ଘରକୁ । ମିଛଟାରେ ଆସି ଖଳବ କାଢ଼ୁଛ ?

କୁଟିଳା

-

ନାଇଁ ମ, ମୋତେ ଭୁତ ଲାଗିଥିଲା ଯେ, ଆସିଥିଲି ଝଡ଼େଇହବାକୁ ତମପାଖକୁ । ଭଲ ହେଲା, ମୁଁ ଯାଉଛି । ଲଗା ପଡ଼ିଛି ମତେ ! ସେଇଆ ମାଆକୁ କହିବି । ସେ ମାଆ ଜାଣେ, ଯଶୋଦା ରାଣୀ ଜାଣନ୍ତି । ମୋତେ ମଝିରେ ହଟହଟା କରି ମାରୁଛନ୍ତି ।

ଲଳିତା

-

ହଉ ଯା...( କୁଟିଳା ଚାଲିଯାଉଥିଲା )

ରାଧା

-

ସହି ! କଅଣ ଯଶୋଦାଙ୍କ କଥା... ?

ଲଳିତା

-

( ଠାରି ତୁନି ହେବାକୁ କହି ବଡ଼ ପାଟିରେ କୁଟିଳାର ପଥକୁ ଚାହିଁ ) ମ, ଏମିତି କଅଣ ନଣନ୍ଦ-ଭାଉଜରେ ଟାପରା ନାହିଁ ? ଦେଖ ମ, ୟାଙ୍କ କଥା - କେମିତି କଥାପଦକେ ରାଗି କରି ପଳେଇଲେ ? କିଏ ଏବେ କଅଣ ଟାପରାରେ କହିଲା...

କୁଟୀଳା

-

( ଫେରିଆସି ) ଟାପରା ୟାକୁ ଇ କହନ୍ତି ପରା ? ଆସି ମୁଣ୍ଡଉପରେ ବେଳ, ଭୋକରେ ହଂସା ଉଡ଼ୁଛି, ପାଣିନେଇ ଘରେ ଗୋଡ଼ ଦେଇଛି କି ନାହିଁ, ମାଆ କହିଲା, ନନ୍ଦରଜାଘରୁ ସାତ ଥର ଲୋକ ଆସିଲେଣି ବୋହୂକୁ ଡାକି । ୟାଙ୍କ ରନ୍ଧା କୁଆଡ଼େ ଅମୃତ - କହ୍ନେଇ ୟାଙ୍କ ରନ୍ଧା ଖାଇଲେ ଯୁଗରାଇଜ କରିବ । ସେ ରଜାଘର ରାଣୀ - ୟେ ରଜାଘର ଝିଅ । ଗୁଣୀକି ଗୁଣୀ ଚିହ୍ନେ ଲୋ ମା ! ମାଆ ସେଇଠୁ ଖୋଜେଇ ପଠେଇଲା, ନୋଇଲେ ଦିନ କଅଣ ମୋର ଅସରନ୍ତି ଯାଉଥିଲା ? ନା ଭାତ ପେଟରେ ଫୁଟୁଥିଲା - ଯେ ଦଉଡ଼ିଆସିଲି ଝଡ଼େଇ ହବାକୁ ?

ଲଳିତା

-

ମଲା, ପଦେ ତ କଥା, ନଖରେ ଛିଣ୍ଡିଥା’ନ୍ତା । ତାପାଇଁ କୁରାଢ଼ୀ କାହିଁକି ଲୋଡ଼ା ? ଏତେ ଲମ୍ବାଉଥିଲ କାହିଁକି ? ହଉ, ତୁମେ ଯା, ଆମେ ବେଗେ ଯାଉଛୁଁ ।

କୁଟିଳା

-

ମତେ ରାନ୍ଧିବାଢ଼ି ପରଷିବ ନାହିଁ କି ମୁଁ ଯୁଗରାଇଜ କରିବି ନାହିଁ ମ । ମୁଁ ପାଣିଟେ ନେଇକରି ଆସୁଛି, ବେଗେ କାମ ଛିଣ୍ଡାଇ ଆସ । ( ପାଣିକି ଗଲେ )

ଲଳିତା

-

ସହି ! ଦଇବ ତମ ମନକଥା ବୁଝିଲା ଏତେ ଦିନେକେ ।

ରାଧା

-

କଥାଟା କଅଣ ମୁଁ କିଛି ବୁଝିପାରୁ ନାହିଁ ବାକି ବିଶାଖା ନ ଫେରିବାରୁ ମନରେ...

ଲଳିତା

-

ସନ୍ଦେହ ? ସନ୍ଦେହ ଦରକାର ନାହିଁ । ତୁମେ ଏଇଠି ଥାଅଁ କି ମୁଁ ଟିକିଏ ଆସେ; ଦେଖେଁ ବିଶାଖାକୁ ।( ଚାଲିଗଲେ )

ରାଧା

-

ଏକୁଟିଆଟା...

 

-

( ଶ୍ରୀକୃଷ୍ଣ ଅନ୍ୟ ଦିଗରୁ ପ୍ରବେଶ କରି )

କୃଷ୍ଣ

-

( ପଛକୁ ଚାହିଁ ) ନା ନା, ମୁଁ ଏଇଠି ଅଛି, ତୁମେ ଡାକିଆଣ । (ଶ୍ରୀମତୀ ଲତାଉହାଡ଼କୁ ଘୁଞ୍ଚିଗଲେ )

ମଧୁ

-

( ନେପଥ୍ୟରୁ ) ଏକା ସୁବଳକୁ ତ ?

କୃଷ୍ଣ

-

ତମ ମନ, ବାକି ଉଛୁର କଲେ... ( କୁଟିଳାକୁ ଦେଖି ଚମକି ) ଆରେ ! ଏଇଟା... ( ପଳାୟନ )

 

-

(ରାଧା ଶ୍ରୀକୃଷ୍ଣଙ୍କୁ ଚାହିଁ ଚାହିଁ ଆସିଲେ ଓ ବିଶାଖା ପଛରୁ ପ୍ରବେଶ କରି ତାଙ୍କ ଗଳାରେ ମାଳାଟି ଲମ୍ବାଇଦେଲେ )

ରାଧା

-

( ଚମକି ) କିଏ ।

କୁଟିଳା

-

( ପହଞ୍ଚି ) କାହାକୁ ତମର ଖାତିର୍‌ ଅଛି ଯେ, ପଚାରୁଚ ପୁଣି କିଏ ? ଶାଶୁ - ତମ ଶାଶୁ ! ଏତେ କରି କହିଗଲି, ମାଆ କହିଛି, ବେଗେ ଆସ - ମୁଁ ଗାଧୋଇପାଧୋଇ ପାଣିନେଇ ଆସିଲିଣି, ଯୋଉଠି ଠିଆ ହୋଇଥିଲ, ସେଇଠି ? ଧନ୍ୟ ଲୋ ବୋହୂ ! ଏଠି ଏତେ ବେଳଯାଏ କ’ଣ ହଉଥିଲା, କହିଲ ।

ରାଧା

-

( ନୀରବ )

ବିଶାଖା

-

ତାଙ୍କର ପରା ମୁଣ୍ଡ ବୁଲୋଉଚି ସେଇଦିନପରି; କଅଣ ଜାଣିପାରୁନ ? ନୋଇଲେ କଅଣ ସୁଖ ଲାଗୁଥିଲା ଏଠି ଛିଡ଼ାହବାକୁ ?

କୁଟିଳା

-

ନିଆଁ ନାଗୁ ସେ ରୋଗ ମୁହଁରେ । ମୁଁ ଏବେ ୟା ଜାଣିଚି ?

ବିଶାଖା

-

ତୁମେ ଚାଲ, ପଛରେ ତାଙ୍କୁ ନେଇ କରି ଯାଉଚି ।

କୁଟିଳା

-

ହଁ ଲୋ, କଥାଟେ କହିଲୁ ବାକି; ବୋହୂଦିହ ଏମେତେ, ମୁଁ ଆଗରେ ଯିବି ତାକୁ ଛାଡ଼ି ?

ବିଶାଖା

-

ହଁ, ସତ କଥା - ତା ବା ତୁମେ କେମିତି କରିବ ? ଏଇ ଗରାଟାକୁ ଆରହାତେ ଧର । ଶ୍ରୀମତୀ ମୋ ଉପରେ ଭରା ଦେଇ ଚାଲନ୍ତୁ ଗୋଟିଏ ଗୋଟିଏ ।

କୁଟିଳା

-

ଗରାଟା ? ବଡ଼ ଭାରୀ । ହଉ, କଣ କରିବି ଆଉ ? ତା ଦେହ ଯେତେବେଳେ ( ଗରା ଧରିଲେ ) ଆସ । ( ଆଗରେ ଗଲେ )

ବିଶାଖା

-

( ଶ୍ରୀମତୀଙ୍କି ) ଚାଲ ସହି ! ( ହସିହସି ନେଇଗଲେ )

ମଧୁ

-

( ଏକ ଦିଗରୁ ଆସି ) ସଖା !

ଲଳିତା

-

( ବିପରୀତ ଦିଗରୁ ଆସି ) ସଖି !

ମଧୁ

-

( ଆଶ୍ଚର୍ଯ୍ୟ ହୋଇ ) ଆରେ !

ଲଳିତା

-

( ମଧୁକୁ ଦେଖି ) ଆରେ !

 

ପଟ୍ଟ ପତନ

ତୃତୀୟ ଅଙ୍କ - ପ୍ରଥମ ଦୃଶ୍ୟ

(ଗୀତ )

( କକ୍ଷ - ଶ୍ରୀମତୀ ଓ ଲଳିତା ବସିଥିଲେ )

ଲଳିତା

ବନ୍ଧୁ, ହେଲା ତ, ସତ କହ ତ -

କାମନା ପୂରିଲା କି ନା ? ୦।

ପ୍ରଥମ ମିଳନକାଳେ ଅପଘନ

କମ୍ପିଉଠିଲା କି ନାହିଁ ରେ ?

ଆଡ଼ନୟନରେ ପରଷିବାବେଳେ

ଦେଇ ନ ଥିଲେ କି ଚାହିଁ ରେ ? ।୧।

 

ଚାରି ଆଖି ଭେଟ ହେଲା କି ନିପଟ

ଲାଜ-ସରେ ବୁଡ଼ିଯାଇ ରେ,

ଆୟତ୍ତରେ ମନ ଥିଲାଟି କି ଧନ,

ଚିତ୍ତ ନ ହେଲା କି ବାଇ ରେ ? ।୨।

 

ମନ, ନେତ୍ର, ପଦ ସହି । ଏ ତ୍ରି ପଦ

ମିତ୍ର ତୋର ଥିଲେଟି କି ରେ ।

କେହି ବା ବିରୋଧ ନ ଆଚରି ସଧ

ପୂରାଇଲେ ଆଜ ନିକି ରେ ? ।୩।

 

ଶ୍ରୀମତୀ

-

ଛି ସହି, ଏତେ ପରିହାସ କରନ୍ତି ନା ?

ଲଳିତା

-

ପରିହାସ ନୁହେଁ ଗୋ ଧନି ! ଆମମାନଙ୍କୁ ଆଉ ଏଣିକି ତମ ସୁଖ ଦୁଃଖରେ ସାଥି କରିବ ନାହିଁ । ପଚାରିବା କଥା ସିନା ପରିହାସ ଆଉ କ’ଣ ? ଥର ଥର କରି ଯେ ନଟବରଙ୍କୁ ଭାରି ଭୋଜନ ପରଷୁଥିଲ, ତାଙ୍କୁ କ’ଣ ଏତେ ଭୋକ କରୁଥିଲା ? ସେ ପୁଣି ଏତେ ଖାଇଲେ ?

ଶ୍ରୀମତୀ

-

କ’ଣ ଗୁରାଏ ଯେ ତୁ କହୁ ଲଳିତା ?

ଲଳିତା

-

ଓହୋ ହୋ ! ସେ’ ଟା ତୁମ-ହାତର ପରଷା ନୁହେଁ ପରା - ଆଖିର ପରଷା, ନା ?

ବିଶାଖା

-

( ହସି ହସି ଆସି ) ହଁ ମୁଁ ଜାଣେଁ, ଆଉ ତା’ର ଫଳ ବି ଫଳିଲାଣି ।

ଶ୍ରୀମତୀ

-

କଣ ଫେର୍‌, ଭୟ କି ନିର୍ଭୟ ?

ବିଶାଖା

-

ନିର୍ଭୟ ତ କେବେ ନୁହେଁ - ଛାତିପୋଡ଼ା, ମନପୋଡ଼ା, ଆଖିପୋଡ଼ା - ଏଇସବୁ ଯେଉଁ ଗଛରେ ଫଳେ, ତାକୁ କେମିତି ନିର୍ଭୟ ବୋଲି କହିବା ? ଆସ, ଏଇନେ ପାଇବ ଯେ...

ଲଳିତା

-

କୋଉଠିକି ଡାକୁଛୁ ?

ବିଶାଖା

-

ଜଟିଳା, ଯଶୋଦା, କୀର୍ତ୍ତିକା - ସମସ୍ତେ ବସି ଶ୍ରୀମତୀଙ୍କ ଗୁଣ ବିଚାର ପଡ଼ିଛି ।

ଶ୍ରୀମତୀ

-

କଅଣ ବିଶାଖେ ? ମତେ ତୋ କଥା ଶୁଣି...

ବିଶାଖା

-

ମୋ କଥା ଶୁଣିବ କ’ଣ ? ଛାତି ଟାଣ୍‌ କରି, ମନ ଦମ୍ଭ କରି ଆସି ତ ଆଗେ ।

ଲଳିତା

-

ବିଶାଖେ ! ମନରୁ ସନ୍ଦେହଟା ତୁଟା ।

ବିଶାଖା

-

ମୁଁ କ’ଣ ଜାଣିଛି ? ମୋତେ କହିଲେ, ଶ୍ରୀମତୀଙ୍କୁ ଡାକି ଆଣ - ମୁଁ ଆସିଲି ।

ଶ୍ରୀମତୀ

-

କ’ଣ ସବୁ ତାଙ୍କର ବିଚାର ପଡ଼ିଥିଲା ?

ବିଶାଖା

-

ଆଗରୁ କହିଦେବି ତେବେ; କଣ ଦେବ, କୁହ ।

ଶ୍ରୀମତୀ

-

ଆଗ କହ ।

ବିଶାଖା

-

ତମ ରନ୍ଧାରେ ଯଶୋଦା ଭାରି ଖୁସି । କାହ୍ନୁ ପେଟପୂରାଇ ଖାଇଛନ୍ତି । ଏଥର ତୁମେ ସବୁ ଦିନ ରାନ୍ଧିଦେଇଯାଉଥିବ ନନ୍ଦଘରେ । ଏଇ କଥା; ଏଥର ଦିଅ - କଣ ଦେବ, ଦିଅ । ଆସ ।

 

 

( ଶ୍ରୀମତୀଙ୍କୁ ଉଠାଇଲେ )

ଶ୍ରୀମତୀ

-

କଅଣ ଦେବି ସହି ! କଅଣ ଅଛି ମୋର ?

ଲଳିତା

-

ଠିକ୍‌, ସବୁ ତ ଶ୍ୟାମର ।

ଶ୍ରୀମତୀ

-

ଧେତ୍‌।

ବିଶାଖା

-

ଗୋଟେ କଥା ଅଛି ତମର - ଦବ ?

ଶ୍ରୀମତୀ

-

ଦେବି ।

ବିଶାଖା

-

ସତ୍ୟ କର ।

ଶ୍ରୀମତୀ

-

କଲି ।

ବିଶାଖା

-

ଏଇ ଚନ୍ଦ୍ରମୁଖରୁ ଟିକିଏ ହସ ।

 

 

( ହସି ଶ୍ରୀମତୀଙ୍କୁ ନେଇ ଚାଲି ଗଲେ )

 

ଦ୍ୱିତୀୟ ଦୃଶ୍ୟ

( ବନପଥ - ଶ୍ରୀକୃଷ୍ଣ ଗୀତ ଗାଇ ଗାଇ ଆସିଲେ )

 

( ଗୀତ )

ଭେଟିଲୁ କି ପଥେ ତା’ର ଚାରୁ ଲପନ, ରେ ମଧୁପବନ

ଦରବିକଶିତ ସେ ମୋ ମଲ୍ଲି-ପାଖୁଡ଼ା

ସୁବାସେ ଭରି କାନନ, ଦହିଲା ମନ, ରେ ମଧୁପବନ ।୧।

 

କାହିଁ ଫୁଟିଛି ଗୋପନେ ପ୍ରଣୟ-ଧନ,

ଦେଖିଲ କି ତରୁ, ଲତ, ବିହଗ, ବନ, ରେ ମଧୁପବନ ।୨।

ଅନ୍ଧନୟନର ମଣି ସେ ମୋ ଜୀବିକା,

ତା ବିନା ଯମୁନାଜଳ ନେବ ଜୀବନ, ରେ ମଧୁପବନ ।୩।

 

ଆସି ସନ୍ଧ୍ୟା ହେଲା । ଏଣେ ବି ଶ୍ୟାମ ଗଗନରେ

ସନ୍ଧ୍ୟା ହେବାକୁ ବସିଲାଣି । ଦିନଟିଏ ଯାଏ,

ମନେ ହୁଏ - ଯୁଗେ ଗଲା । କି ମୁହୂର୍ତ୍ତରେ,

କାହିଁକି, କିପରି ଅବା ସେ ରୂପକୁ ଆଖି

ଦେଖିଲା ! ହାୟ ମନ - ଅସମ୍ଭବ ଏ ଆଶା !

( ସୁବଳ ଓ ମଧୁ ପ୍ରବେଶ )

 

ମଧୁ

-

ସଖା, କେତେବେଳ ହେଲାଣି ? ଏବେ ତ କାହିଁକି ତୁମେ ସାଙ୍ଗଛଡ଼ା ହୋଇ ଏଠି - ସେଠି ବସି ରହୁଛ - କେତେ ତମକୁ କିଏ ଖୋଜିବି ?

କୃଷ୍ଣ

-

କିଏ ସଖା ! କିଏ ? କିଏ ଖୋଜିଲା ମୋତେ ?

ମଧୁ

-

କେହି ନାହିଁ ମୁଁ । ଆଉ କେହି ନାହିଁ ।

କୃଷ୍ଣ

-

କଣ ହେଲା ବଟୁ ?

ମଧୁ

-

ଛି ସଖା, ତମ ଅବସ୍ଥା ଦେଖି ଆଖିରେ ଲୁହ ରହୁ ନାଇଁ । କାହିଁକି ତୁମେ ଏମିତି ହେଲ ? କଣ ହେଉଚି ତମର ? କହିଲ ଦେଖି ।

କୃଷ୍ଣ

-

ସଖା, ଅନା ଅନା - ସେ ବଣମଲ୍ଲୀ ପଛକୁ ଦେଖିଲଣି - କିଏ ସେ ସେ, ଦିଶୁଛି ନା ?

 

( ଗୀତ )

ସେହି ନା ନବନବୀନା

ଶୋଭନା, କେତକୀବରନା ରେ ।୦।

ଅନାଁ ଚମ୍ପାଝରାକୁ, ଶ୍ୟାମମତି-ହରାକୁ

ଶୁଭେ ନୂ ପୁରବାଜଣା ।୧।

ଶୁଣ ଶୁଣ କି ଭାଷେ - ଏଣେ ଚାହିଁକି ହସେ ?

ସରସ ବୀଣାବଚନା ।୨।

 

ମଧୁ

-

ସୁବଳ, ଶୁଣୁଚ ନା ? ପାଗଳପରି କ’ଣ ଗୁରାଏ କହୁଛନ୍ତି ସଖା ।

ସୁବଳ

-

ଏସବୁ କ’ଣ ସଖା ? ବଟୁ, ସଖାଙ୍କୁ କେଉଁଠି ବଣଭୂତ ଲାଗିଲା କି ?

ମଧୁ

-

ନା ରେ, ବଣଭୂତ ନୁହଁ, ପ୍ରେମ-ଭୂତ ୟେ; ଲାଗି ନାହିଁ ଯେ - ଲାଗି ଲାଗି ଆସୁଛି । କାହ୍ନୁ, ତୁମେ ଏଡ଼ିକି ଅଥୟ ହେଲେ ଚଳିବ ? ଧୀରେ ଧୀରେ, ସୂତ୍ରେ ସୂତ୍ରେ ସିନା କାମ ହାସଲ କରିବାକୁ ହେବ । ତୁମେ ଏକାବେଳେ ନଈ ନ ଦେଖୁଣୁ ଆଣ୍ଠୁଗଣ୍ଠିରୁ ଲୁଗାପଟା ଟେକି ତିଆର !

କୃଷ୍ଣ

-

ନାଇଁ ସଖା, ମୋତେ ସେମିତି କଣ ଦିଶିଲା । ତୁମେ ଦେଖି ନାହଁ ?

ମଧୁ

-

ହଁ, ଦେଖିଛି । ମୋ ଆଖିରେ ଯୋଉଟା କେତକୀପାଖୁଡ଼ା - ତମ ଆଖିରେ ସେଇଟା କେତକୀବରନା ବାଳା ।

କୃଷ୍ଣ

-

ସଖା, ବରାବର ମୁଁ ସେ ଭାବନାକୁ ଦୂରରେ ରଖିବାକୁ ଚାହୁଛି । ମୁଁ ଚାହେ - ମନ ତ ଚାହୁ ନାହିଁ ।

ମଧୁ

-

କେମିତି ଚାହିବ ସଖା ? ତୁମେ ତ ଭାବଭୋଳା ଲୋକ । କେତକୀପାଖୁଡ଼ା ଦେଖି ଦେହର ରଙ୍ଗ ମଣିବ, ଭଅଁର-ଗୁଞ୍ଜନ ଶୁଣି ନୂପୁର ମନେ କରିବ । ଯମୁନା ଦେଖି କେଶଭ୍ରମ ହେବ । ଆମେ ତ ଆଉ ସେଭଳି ଭାବୁକ ନୋହୁଁ ଯେ ଖାଲି କଳ୍ପନା ରାଜ୍ୟରେ ବଂଶୀ ଫୁଙ୍କି ବୁଲୁଥିବୁ । ଆମେ ଆଖିରେ ଯାହା ଦେଖୁଁ - ମନରେ ସେଇଆ ବୁଝୁଁ ।

କୃଷ୍ଣ

-

ନାଇଁ, ସତେ ସଖା, ସେଇଦିନୁ ଆଉ ମୋର ଆୟତ୍ତ ନାହିଁ ।

ମଧୁ

-

ସେଇଟା କହିଲେ ବହଳ ହେବ ସିନା ! ଆମେ କଅଣ ବୁଝୁ ନାହୁଁ ?

କୃଷ୍ଣ

-

ପରିହାସ ନୁହେଁ ସଖା, ପୁଣି ବୃଷଭାନୁଙ୍କ ଘରେ ସେଦିନ...

ମଧୁ

-

ହଁ, ସେଦିନ... ପେଟକ ଉପରେ ଚାରିପେଟ ଭୋଜନ । ସଖା, ଭଲ ମନେ ପଡ଼ିଲା - ଶୁଭ ଖବର ଗୋଟାଏ ଦେବି ।

କୃଷ୍ଣ

-

କଅଣ ସଖା ?

ମଧୁ

-

ଶ୍ରୀମତୀ ଆଜି ବାପଘରୁ ଆସିଲେଣି ।

କୃଷ୍ଣ

-

ଏଥିରେ ମୋର ଲାଭ ?

ମଧୁ

-

ନାଇଁ ତ ? କହିଥା, ଠିକ୍‌ କରି ।

କୃଷ୍ଣ

-

କହିଲି ତ, ତୁମେ କହ ଦେଖି । ବହୁ ଦୂରରେ ମରୁଭୂମି ପାର ହେଲେ ଗୋଟିଏ ନିର୍ମଳ ନିର୍ଝର - ଯାଉ ଯାଉ ପ୍ରାଣ ଥିଲେ ତ ?

ମଧୁ

-

ତଥାପି ଆଶା ତ ।

କୃଷ୍ଣ

-

ହଁ ସଖା ! ଆଶାରେ ମରେଁ, ଆଶାରେ ତରେଁ ।

ମଧୁ

-

ଯେତେ ପାଖ ହୁଏ, ତେତେ ଉତ୍କଣ୍ଠା ବଢ଼େ । ଆଶା କେବେ ମେଣ୍ଟେ କି ?

କୃଷ୍ଣ

-

ସେଇଆ ତ କହିଲି ସଖା ! ସେତେଦିନ, ତେତେ କାଳ ବଞ୍ଚି ରହିପାରିଲେ ତ ?

ମଧୁ

-

ଆଉ ଗୋଟିଏ ଭାରି ଖୁସି ଖବର କହିବି ।

କୃଷ୍ଣ

-

କହିଲ ଦେଖି ।

ମଧୁ

-

ମା’ ଯଶୋଦା ସେଦିନ ବୃଷଭାନୁପୁରରେ ତମ ଖାଇବା ଦେଖି ଜଟିଳାଙ୍କୁ କହି ଶ୍ରୀମତୀଙ୍କୁ ନିତି ତମ ଘରକୁ ଅଣାଇଁ, ତାଙ୍କରି ହାତେ ରନ୍ଧାଇବାକୁ କଥା କରିଛନ୍ତି । ଏବେ କାଲିଠାରୁ ଦେଖିବ, ସେଇଆ ହବ ।

କୃଷ୍ଣ

-

ସତେ ସଖା ! ସତ କହୁଛ ?

ମଧୁ

-

ଦେଖିବ ନାହିଁ, ସତ କି ମିଛ । ଏଥର ଆଉ କଳ୍ପନା-ରାଜ୍ୟରେ ବୁଲିବା ଦରକାର ନାହିଁ । ଯମୁନାଟା ଯମୁନା, ପଦ୍ମଟା ପଦ୍ମ, କେତକୀ ପାଖୁଡ଼ାଟା କେତକୀପାଖୁଡ଼ା; ଆଉ ତମର ସେ ନୟନମଣିଟି ଠିକ୍‌ ସେଇ ନୟନମଣି ହେବ କାଲି ସକାଳୁ, ବେଶି ବିଳମ୍ବ ନୁହେଁ ।

କୃଷ୍ଣ

-

ସଖା ? ଏତିକିରେ କ’ଣ ଶେଷ ?

ମଧୁ

-

ଆରେ ଆଚ୍ଛା ଲୋକ ତ ! ଅଙ୍ଗୁଳିପ୍ରବେଶାତ୍‌ବୁଝିଲ ? ବସି କରି ଗୋଡ଼ ଲମ୍ବାଉଥାଅ । ତୁମେ ଏକାବେଳକେ ପାଞ୍ଚ ଆଙ୍ଗୁଠିଯାକ ତୁଣ୍ଡରେ ଭରିବାକୁ ବସିଲେ ଚଳିବ କେମିତି ?

କୃଷ୍ଣ

-

ସଖା, ତେତେଦିନ ଶ୍ୟାମର ଜୀବନ ଥିବ ଟି ?

ମଧୁ

-

ମୋହନ ! ଏଡ଼େ ସହଜ ନୁହେଁ । ପ୍ରୀତି ପାଳିବାଟା - କହି ଦେବାକୁ ଯେଡ଼େ ସହଜ, ପାଠ ସେମିତି ନୁହେଁ, ବାଟ ସଳଖ ନୁହେଁ । ଆସ, ମୋ ସଙ୍ଗେ ଆସ ।

ମଧୁ

-

( ନେପଥ୍ୟେ ବୃନ୍ଦାଙ୍କ କଣ୍ଠସ୍ୱର ଶୁଣି ) ସଖା ! ବୃହସ୍ପତି, ବୃହସ୍ପତି...

ଶ୍ରୀକୃଷ୍ଣ

-

କଅଣ ସଖା ?

ମଧୁ

-

ପଞ୍ଚମରେ । ( ଶ୍ରୀକୃଷ୍ଣଙ୍କୁ ଦୂରରେ ରଖି ) ତୁମେ ଟିକିଏ ସପ୍ତମ କେନ୍ଦ୍ରରେ ଥାଅ, ମୁଁ ଦେଖେଁ, କୋଉ ଯୋଗମାୟା ବିଜେ କରୁଛନ୍ତି । ( ଚାଲିଗଲେ )

 

ତୃତୀୟ ଦୃଶ୍ୟ

( ବନପଥ - ବୃନ୍ଦା ଗାଇ ଗାଇ ପ୍ରବେଶ )

 

( ଗୀତ )

ବୃନ୍ଦା - ( ବନ୍ଧୁ ) ତମରି ନୟନ ତିମିର ତାରାରେ

ବିକାଶ ତାହାରି କାୟା,

ତାହାରି ମରମ-ଗଗନେ ତମରି

ଚପଳ ଚାନ୍ଦିନୀ ଛାୟା ।।୦।।

 

ତମରି ବସନ୍ତ କୁଞ୍ଜେ - ତା’ ମନ-ମଧୁପ ଗୁଞ୍ଜେ,

ଏଇ ଲଗନରେ ହେବ ପରା ସତେ

ମନଦିଆ-ମନନିଆ,

ନୟନେ ନୟନେ ମହୁଆ ପବନେ

ଖେଳିବ ବିଜୁଳିମାୟା ।।୧।।

 

( ମଧୁ ପ୍ରବେଶ )

 

ମଧୁ

-

ବୃନ୍ଦେ ! ତୁମେ ଟିକିଏ ଅବସ୍ଥାଟା ବୁଝୁ ନାହିଁ ।

ବୃନ୍ଦା

-

କାହିଁକି ବଟୁ ? ତୁମେ ତ ଝଡ଼ିଯାଇ ନା - ବେଶ୍‌ସୁସ୍ଥ ଥିବାପରି ଦିଶୁଛ ?

ମଧୁ

-

ବାହାରୁ ସିନା, ଭିତରେ ତ ଜଳି ଯାଆ ବୋଇଲେ ପୋଡ଼ିଯାଉଛି । ଏ କଣ ବଣପୋଡ଼ି କି ବୃନ୍ଦେ ? ଏ ପରା ମନପୋଡ଼ି କେହି ଦେଖିବାକୁ ଅଛି କି ?

ବୃନ୍ଦା

-

ଏତେ ତରକ ମୁଁ ବୁଝିପାରୁ ନାହିଁ । କ’ଣ ହେଇଛି, ଫିଟାଇ କହ ।

ମଧୁ

-

ଏଇ ବାଟଟାରେ ?

ବୃନ୍ଦା

-

ଆଉ କ’ଣ ଘାଟରେ ?

ମଧୁ

-

ସେ ପରା ପେଡ଼ିମୁହଁ ବନ୍ଦ, ଫିଟିବ କେମିତି ? ସାପ ସେଇଠି ବାହାରିବ ନା ।

ବୃନ୍ଦା

-

ମୁଁ କିଛି ବୁଝିପାରୁ ନାହିଁ ତୁମ ଠାରରୁ ।

ମଧୁ

-

ଇଶାରାରେ ଭଲା କିଛି ବୁଝିଲ ?

ବୃନ୍ଦା

-

ମୋତେ ସେ ବ୍ରହ୍ମବିଦ୍ୟା ଜଣା ନାହିଁ, ଖୋଲାକଥା କହ ।

ମଧୁ

-

ବୁଝିଲ ନାହିଁ କିଛି ? ସାପ, ସାପ - କଳା - ନାଗ ।

ବୃନ୍ଦା

-

ସେ ପୁଣି କିଏ ? କାହ୍ନୁ ତ ? କଅଣ ତାଙ୍କର ହେଲା ?

ମଧୁ

-

ଚାରିଟାରେ ଗଣ୍ଡେ ଆଠଟାରେ ଦି’ଗଣ୍ଡା - ଏଇଆ ହଉଚି ।

ବୃନ୍ଦା

-

ମୋତେ ଲାଗୁଛି ତୁମେ ଆସିଛ ଏଠିକି ଖେଳିବାକୁ ।

ମଧୁ

-

ହଁ, ଏ ବି ଗୋଟାଏ ଖେଳ ଯେ । ତୁମେ ଖେଳେଇଜାଣିଲେ ହେଲା ।

ବୃନ୍ଦା

-

ମୋତେ ଏତେ ସନ୍ଦେହରେ ପକା’ନା - ସରଳଭାବରେ କଥାଟା କହ, କଅଣ ତାଙ୍କର ହେଇଛି ।

ମଧୁ

-

ଅବସ୍ଥାଟା ଦେଖିଲଣି ତାଙ୍କର ?

 

( ଗୀତ )

ଛଇଳ କହ୍ନା, ଛଟକ ହେଲାଣି ଚୂନା ।୦।

ଛନକ ଚାହାଣି ତାର - ଛପାଇଛି ଲୁହଧାର,

ଛାଡ଼ିଲାଣି ରାତିନିଦ- ଏବେ ସେ କାଳିଆ ସୁନା ।୧।

ଛକି ଏଣେ ତେଣେ ଚାହେଁ - ଛାଇକି ଚମକି ରହେ

ଛଳେ କେତେ କଥା କହେ -

ବୋଇଲେ କିସ ଭାବନା ? ।୨।

ଛ’କାନ ହେଲେ ଏକଥା - ଛାର ହେବ ସାର ମଥା,

ଛେଲରୁ ବଳିବ ବ୍ୟଥା ଉପାୟ ଆଉ ନାହିଁ ନା ।୩।

 

ବୃନ୍ଦା

-

କାହିଁକି ଫେର୍‌ ଏ ରୋଗ ହେ ?

ମଧୁ

-

ତମରିମାନଙ୍କ ଗୁଣରୁ । ସୂତ୍ର କରି ସଖାଙ୍କୁ ଆମର ପାଗଳ କରିଦେଲଣି । ଆଉ କଅଣ ସେ ହସ ହସ ମୁହଁ ଅଛି ନା ସେ ମୂରଲୀଫୁଙ୍କା ଅଛି ?

ବୃନ୍ଦା

-

ଓଷଦ କରୁନା ।

ମଧୁ

-

ବଇଦ ପରା ତୁମେ ?

ବୃନ୍ଦା

-

ମୁଁ ? ଆମର ତ ତେଣେ ଔଷଧ ଖୋଜାପଡ଼ିଛି, ବଇଦ ଖୋଜାପଡ଼ିଛି ଯେ ତର ନାହିଁ ମୋର ।

ମଧୁ

-

ତମର !

ବୃନ୍ଦା

-

ମୋର ନ ହେଲେ ମୋ ସଖୀର ।

ମଧୁ

-

ତାଙ୍କର କି ରୋଗ, ଶୁଣେଁ ।

ବୃନ୍ଦା

-

ପଦ୍ମପତ୍ର ତାଙ୍କୁ ଗରମ ଲାଗୁଛି । ବଞ୍ଚିଲେ ଗରମ ଲାଗୁଛି । ଚନ୍ଦନ ଦେଲେ ଦେହ ତାତି ଉଠୁଛି । ଚେଇଁରହି ସ୍ୱପ୍ନ ଦେଖୁଛନ୍ତି । କେତେବେଳେ କଅଣ କହୁଛନ୍ତି, ଠିକଣା ନାହିଁ । ଉପାୟ ନ କଲେ ବେଳକୁ ବେଳ କଥା ବଳିପଡ଼ିବ ।

ମଧୁ

-

ଏସବୁ ପୁଣି ତାଙ୍କର କାହିଁକି ଘଟିଲା ?

ବୃନ୍ଦା

-

ତମରିମାନଙ୍କଯୋଗୁଁ । ନ ଥିଲା ନାହିଁ, ଥିଲାକୁ ହେଲା ।

ମଧୁ

-

ହେଲା ଯେବେ ବାଟି-ଘଷି ପିଠା କର । ଟିକିଏ ମହୁ ବାକି ଗୋଳେଇଦବ ତହିଁରେ - ମୋ ରାଣ ତୁମକୁ ।

ବୃନ୍ଦା

-

ତୁମେ ବଡ଼ ଦୁଷ୍ଟ ହେଲଣି ବଟୁ !

ମଧୁ

-

ସେଇଟା ମୋ ଜନମକାଳୁ ।

ବୃନ୍ଦା

-

ତୁମେ ଗଲ ଏଠୁ ।

ମଧୁ

-

ମୁଁ କେଉଁଠିକି ଯିବି ତମକୁ ସାଙ୍ଗରେ ନ ନେଇ ?

ବୃନ୍ଦା

-

ମୁଁ କେଉଁଠିକି ଯିବି ?

ମଧୁ

-

ଦେବୀ ପୌର୍ଣ୍ଣମାସୀଙ୍କ ପାଖକୁ ଯାଇ ତାଙ୍କଠୁ ଓଷଦ ଆଣି ଘୋରି ବାଟି ଦୁହିଁଙ୍କୁ ପିଆଅ ।

ବୃନ୍ଦା

-

ତୁମେ ତେବେ...

ମଧୁ

-

କ’ଣ ତମ ସାଙ୍ଗରେ ? ହଉ, ପଥିଟା ବୁଝିଆସିବି, ନା ?

ବୃନ୍ଦା

-

ଆଉ ?

ମଧୁ

-

ବଡ଼ ଜୋର୍‌ ଶୀତ, ବୁଝିଲ ?

ବୃନ୍ଦା

-

ପବନ ବି ?

ମଧୁ

-

ସତ କଥା...

( ଗୀତ )

ଲାଗିଛି ପ୍ରେମ-ପବନ

ଚକୋରୀ ରହିଛି ଚାହିଁ ଚାନ୍ଦକିରଣ ।।୦।।

 

ନ ଦେଖି ପୁନିଅଁ ରାତି ପୋଡ଼ୁଛି ପିଆସୀ-ଛାତି

ଅଧରେ ଅଧର-ମଧୁ ପିଇବ, ମନ ।୧।

 

ଝୁରେ ଚାନ୍ଦ ଗଗନରେ ଚକୋରୀ ଝରେ ମନରେ

ଯୁଗଳ ନ ଖୋଜିବ କି ମଣି କାଞ୍ଚନ ? ।୨।

 

 

ଚତୁର୍ଥ ଦୃଶ୍ୟ

( ଶ୍ରୀମତୀଙ୍କ କକ୍ଷ - ଭୂମିଶୟନ କରିଛନ୍ତି ଶ୍ରୀମତୀ - ପାଖରେ ଅଛନ୍ତି ସଖୀଗଣ - ଶ୍ରୀମତୀଙ୍କୁ ଦେଖାଇ ଗାଇଲେ ଲଳିତା )

 

 

ଲଳିତା

( ଗୀତ )

ଯେ ଧୂପ ଦେଲା ଜାଳି ସେ ବିଷେ ମରେ ଜଳି

କାମନା-ଧୂପଶିଖା ଜାଣି ସେ ଦେଲା ବଳି ।।୦।।

ସଜାଡ଼ି ଫୁଲଡାଲା - ଗୁନ୍ଥିଛି ବସି ମାଳା

ଦେବତା - ପୂଜାବେଳେ - ଗଲା ଫୁଲ ଝାଉଁଳି

ପାଖୁଡ଼ା ଗଲା ଝଡ଼ି ।।୧।।

 

ଶ୍ରୀମତୀ

-

କିଏ ଗାଉଥିଲା ସଖି ?

ବିଶାଖା

-

( ବିଞ୍ଚି ) କାଇଁ ? ଆଉ କେହି ତ ନାହିଁ, ଲଳିତା ।

ଶ୍ରୀମତୀ

-

ବିଶାଖେ, ଟିକିଏ ପାଣି ।

ବିଶାଖା

-

(ଉଠିଯାଇ ପାଣି ଆଣି ଦେଲେ)

ଲଳିତା

-

ସହି, ତୂଳିତଳପ ଛାଡ଼ି ଏ ଭୁଇଁ କଅଣ ସୁଖ ଲାଗିଲା ?

ଶ୍ରୀମତୀ

-

ଓଃ, ବଡ଼ ଗରମ ସଖି ! ଦେହ ଜଳିଯାଉଛି ।

ବିଶାଖା

-

ସହି, ଏମିତି ହେଲେ ମହତ ରହିବ ଟି ? ଦିନେ ନାହିଁ କାଳେ ନାହିଁ, ତମକୁ ଏ ନିଶା ଘାରିଲା କେମିତି ? ବଜ୍ର - ବଜାରରେ ଆଉ ବାଟ ଚାଲିବ ଟି ?

ଶ୍ରୀମତୀ

-

ବିଶାଖେ, ବିଞ୍ଚିଦେ - ବଡ଼ ଗରମ ହେଉଛି ।

ଲଳିତା

-

ସହି ! ତାଙ୍କୁ କଅଣ କହୁଚୁ ମ ? ସେ କ’ଣ ଆଉ ନିଜ ଆୟତ୍ତରେ ଅଛନ୍ତି ?

 

(ଗୀତ)

ଘାରିଛି ସହିକି ପୀରତି - ନିଶା,

ଘୋଟିଲାଣି ଆସି ଦଶମ ଦଶା

ଶଶୀକି ଶଶ ବାରି ପାନ - ଆଶା -

ସମ ନୀରତ ବଢ଼ଇ ପିପାସା,

ଗଲେ ଯିବ ଜୀବ,

ଆଶା ପିପାସା ବିରତି ନ ହେବ ।୧।

 

କି ଜାତି ପଦାର୍ଥ ପୀରତି ସତେ ?

ଚିହ୍ନିଛି କିଏ କହ ଏ ଜଗତେ ?

ଚିନ୍ତା ନୁହେଁ ଦୁଃଖ ଦିଅଇ ଚିତ୍ତେ,

ବାରି ନୁହେଁ ଭସାଏ ସେ ସରିତେ,

ହସାଏ ଭଗାରି,

ଅହି ନୁହେଁ ପାରେ ବିଷ ଉଗାରି ।୨।

 

କୁସୁମ ନୁହେଁ ଅଛି ଦିବ୍ୟ ଗନ୍ଧ,

ଅଜାଣନ୍ତରେ ବଢ଼ାଇ ସମ୍ବନ୍ଧ,

ପାଟଳ ନୁହେଁ କରେ ଚକ୍ଷୁ ଅନ୍ଧ,

ନୁହେଁ ଚନ୍ଦ୍ରିକା ଦିଅଇ ଆନନ୍ଦ,

ନୁହେଁ ଚିତ୍ରତୂଳୀ,

ଦିଗେ - ଦିଗେ ଲେଖେ ପ୍ରିୟ - ପିତୁଳି ।୩।

 

ନୁହେଁ ସେ ଭୁଜ ଆଣ୍ଟେ ପାରେ ଭିଡ଼ି,

ଅଟକାଏ ପଦ ନୁହଇ ବେଡ଼ି,

ପକ୍ଷ ନାହିଁ, ପାରେ ଗଗନେ ଉଡ଼ି

ନ ମାନେ କାଳମେଘ ନିଶାଘଡ଼ି

ନୁହେଁ ସେ ତ ତରୁ,

ନାନା ଫଳେ ସେ ହୋଇଥାଇ ଗରୁ ।୪।

 

ନୁହଇ ଜ୍ୱର ଅରୁଚି ଅଣାଏ,

ନୁହଇ ଚିନ୍ତା ଚିନ୍ତା ଜନମାଏ,

ନୁହେଁ ସେ ଯମ ପରାଣକୁ ଖାଏ,

ଗଦ ନୁହେଁ ଫଣୀ ବଶ କରାଏ

ନୁହଇ ସେ କାତି,

ଦାଢ଼ ନ ଥାଇ ଦିଅଇ କରତି ।୫।

 

ତିଳେ କରଇ ହେଲେ ତାଳସରି -

ନିର୍ଲ୍ଲଜ ନୁହେଁ ଲାଜର ବଇରୀ,

ଅମଳ ନୁହେଁ, ଦିଏ ଭାରି ଘାରି

ସ୍ମର ନୁହେଁ, ସେ ଦିନ ଯାଏ ସ୍ମରି

ଏ ପାରୀତି - ରୀତି,

ଗରବ ଆଣେ ନ ଥାଇ ସମ୍ପତ୍ତି ।୬।

 

ବିଶାଖା

-

ଭୋର୍‌ ହେଲା ସହି ! ପ୍ରଭାତି ପକ୍ଷୀ ଡାକ ଶୁଭୁଛି ନା ? ଆଖିରେ ପଲକ ନାହିଁ - ସାରା ରାତିଟା ଅନିଦ୍ରା ।

ଲଳିତା

-

ତୁନି ତୁନି କହ । ସହିକି ଟିକିଏ ଛାଇ ନିଦ ହେଇଛି ପରା !

ବିଶାଖା

-

ହଁ, ପହଡ଼େ ହେଲା ଟିକିଏ ଆଖି ମୁଦିଛନ୍ତି । ଭଲା ନିଶା ଲାଗିଲା !

ଲଳିତା

-

ଭଗବତୀ ପୌର୍ଣ୍ଣମାସୀ ଆସିଲେ ସବୁ ଠିକଣା ହେଇଯିବ ଯେ ।

ବିଶାଖା

-

ସେ କେମିତି କ’ଣ କରିବାକୁ ମନେ କରିଛନ୍ତି କେଜାଣି ?

ଲଳିତା

-

କେଜାଣି, ବଡ଼ ବିଷମ କଥା ଯେ ! (ଶ୍ରୀମତୀ ଚମକି ଉଠିଲେ)

ଲଳିତା

-

କ’ଣ ହେଲା ସଖି ? (ଦେହରେ ହାତ ଦେଇ)

ଶ୍ରୀମତୀ

-

କାଇଁ ? କିଛି ନାଇଁ ତ ।

ଲଳିତା

-

ଏମିତି କାହିଁକି ହେଲ ? ଚମକିଲ କାହିଁକି ? ଦେହରୁ ତ କାହିଁକି ଝାଳ ବୋହିଯାଉଛି ? ଏ କ’ଣ ?

Rrr

-

(ପୋଛିଦେଲେ)

ଶ୍ରୀମତୀ

-

ନାଇଁ, ମୋତେ ଡାକିଲ ପରା ?

ବିଶାଖା

-

କିଏ ଡାକିଲା ?

ଶ୍ରୀମତୀ

-

ଡାକି ନ ? ସେମିତି ଲାଗିଲା ତେବେ ।

ବିଶାଖା

-

ଶୋଇପଡ଼, ଟିକିଏ, ମୁଁ ବିଞ୍ଚିଦଉଚି ।

ଶ୍ରୀମତୀ

-

ଉଁହୁଁ, ବହୁତ ବେଳ ଶୋଇଲିଣି । ରାତି କେତେ ହେବ ?

ଲଳିତା

-

ଭୋର୍‌ ହେଲାଣି ।

ଶ୍ରୀମତୀ

-

ଭୋର୍‌ ହେଲାଣି ? ହବଣି, ମୁଁ ଜାଣିପାରି ନାହିଁ । ରାତି ପାହିଗଲା ତେବେ ?

ବିଶାଖା

-

ହଁ ସଖି, ରାତିଯାକ ତ ଶୋଇନ, ଅଳ୍ପ ବେଳ ହେବ ଟିକିଏ ଛାଇନିଦ ହୋଇଥିଲା ଆଉ ଟିକିଏ ଶୋଇପଡ଼େ।

ଶ୍ରୀମତୀ

-

ଶୋଇବି ? ନାଇଁ ସଖି, ମୁଁ ଟିକିଏ ବସନ୍ତି । (ଉଠ ବସି ଚାହିଁ) ରାତି ତ ପାହିଗଲା ପାହି ନ ଥାନ୍ତା କି ସଖି !

ଲଳିତା

-

ଏକଥା କାହିଁକି କହିଲ ରାଈ !

ଶ୍ରୀମତୀ

-

ଦେଖୁଥିଲି ଲଳିତେ ... ଦେଖୁଥିଲି ସ୍ୱପ୍ନ ! ନା ନା, ସ୍ୱପ୍ନ ତ ନୁହେଁ, ସତ୍ୟ । କିଏ ସେ ! କେଡ଼େ ସୁନ୍ଦର ସେ ! ତୁ ମତେ ଡାକିଦେଲୁ, ନିଦ ଭାଙ୍ଗିଗଲା । ଥାଆନ୍ତା କି ସହି ସେଇ ରାତି, ଆଉ ରାଧିକା - ଜୀବନରେ ସକାଳ ନ ହୋଇଥିଲେ କେଡ଼େ ଆନନ୍ଦ ନ ହୁଅନ୍ତା ଲଳିତେ !

ବିଶାଖା

-

କି ସ୍ୱପ୍ନ ଦେଖିଲ ରାଈ ?

ଶ୍ରୀମତୀ

-

ସତ୍ୟପରି ଲାଗୁଛି ସହି ... ସ୍ୱପ୍ନ ସେ! କେଜାଣି ?

ଲଳିତା

-

କଅଣ ଦେଖିଲ ?

ଶ୍ରୀମତୀ

-

କଅଣ ଦେଖିଲି ? ଯାହା ଦେଖିଲ ... ଅତି ବିଚିତ୍ର, ଅତି ସୁନ୍ଦର ! କଳ୍ପନାର ଅନେକ ଦୂରରେ ସେ ଚିତ୍ର ।

ବିଶାଖା

-

ଶ୍ରୀମତୀ ! ଏ ସ୍ୱପ୍ନ ନିଶ୍ଚୟ ଫଳିବାସଖି - ଆଉ ଭାବନା କର ନାହିଁ । ଭୋର୍‌ବେଳେ ଏ ସ୍ୱପ୍ନ ଦେଖିଛ ; ଦେଖିବ ନାଇଁ ସଖି ! ବେଶି ଦିନ ନୁହେଁ: ଆଉ, ଭାଗ୍ୟଶଶୀ ହସିଆସିଲେଣି ।

ଲଳିତା

-

ବାକି ସହି, ରହି ସହି ଫଳ ତୋଳିଲେ ସିନା ମିଠା । ବ୍ରଜପୁର ଟି ? ମାଛି ପଡ଼ିଲେ ନବଖଣ୍ଡ । ବନ୍ଧ ବନ୍ଧାପଡ଼ିଲେଣିମ । କଥା ମାନ ରାଈ, ଏଭଳି ତର ତର ହୁଅ ନାଇଁ ।

 

(ଗୀତ)

ଜଳ ଆଣି ଯାଇ କାଲି କଳିନ୍ଦ - ସୁତାକୁ

ଫଳ ପାଇଲି ଅନାଇ ରେ ସଙ୍ଗାତ

କଦମ୍ବମୂଳକୁ ରେ ସଙ୍ଗାତ ।୧।

ନୀରଦଟି ନୀଳମଣି ପ୍ରତିମା ସେ କିଛି

ବାରି ମୁଁ ପାରିଲି ନାହିଁ ରେ ସଙ୍ଗାତ

ନୟନେ ନାଚୁଛି ରେ ସଙ୍ଗାତ ।

 

ଘମ ଘମ ନିଳୋତ୍ପକ କସ୍ତୁରୀସୁବାସ

ଘନ ଘନ ଆସୁଥିଲା ରେ ସଙ୍ଗାତ

ହୋଇଲି ଅବଶ ରେ ସଙ୍ଗାତ ।୩।

ପଛେପଛେ କେକୀବୃନ୍ଦ ମତ୍ତେ ପୁଚ୍ଛ ଟେକି

ଡାକି ଡାକି ନାଚଥିଲା ରେ ସଙ୍ଗାତ

କହ ସେ କାହିଁକି ? ରେ ସଙ୍ଗାତ ।୪।

 

ଛପି ଛପି ନିକୁଞ୍ଜପୁଞ୍ଜତଳରେ

ଆସି ଆସି ପାଇଗଲେ ରେ ସଙ୍ଗାତ

ଆଗେ କି ବେଗରେ ରେ ସଙ୍ଗାତ ।୫।

ଝୁମୁ ଝୁମୁ ଧ୍ୱନି ଶୁଣି ଏଣେ - ତେଣେ ମୁହଁ

ଅନାଉ ଅନାଉ ରହି ରହି ରେ ସଙ୍ଗାତ

ବୋଇଲେ କେ ନାହିଁ ରେ ସଙ୍ଗାତ ।୬।

 

ଦର ଦରଶନ କରି ଚମକିପଡ଼ିଲି

ଦମଦମ ହେଲା ଛାତି ରେ ସଙ୍ଗାତ

ମଥା ପୋତିଦେଲି ରେ ସଙ୍ଗାତ ।୭।

ଥର ଥର ଥରିଗଲି, ମୋ ବିବେକ ହଜିଲା

ଦର ଦର ହୋଇ ଅଙ୍ଗେ ରେ ସଙ୍ଗାତ

ଝାଳ ବୁଡ଼ାଇଲା ରେ ସଙ୍ଗାତ ।୮।

 

(ଗୋପାଳକୃଷ୍ଣ)

 

(ଗୀତ)

ସତୀଶିର - ମୋତିଝରା ମୋ ସେବତୀଦାସୀ ଗୋ !

ହସିବେ ସିନା ବରଜବାସୀ ଗୋ ।୦।

ସତୀପଣ ସରିବ ଦିନେ, ପ୍ରୀତି ଥିଲା ପରାଏ କ୍ଷଣେ ଗୋ

ଦେଖିଲେ ଜନେ

ସରିବ ସେ ଗିରିଧାରୀଟା

ଏ ଭଲା ନାରୀଟାଏ ବୋଲି ହେବେ ଭାଷି ଗୋ ।୧।

 

ଖଞ୍ଜନାକ୍ଷି ରଞ୍ଜିଲେ ତାରେ କୁଞ୍ଜଧାରା ଲୋତକଧାରେ

ରଞ୍ଜାଇ ବାରେ,

ଗଞ୍ଜିବ ଜମ୍ବାଳ - ମଞ୍ଜୁଳତା

ନୀଳକଞ୍ଜଦ୍ୟୁତି ତୋତେ ଦେବେ ନାଶି ଗୋ ।୨। ]

 

(ବୃନ୍ଦା ଓ ଜଟିଳା ପ୍ରବେଶ - ଶ୍ରୀମତୀ ଆସନରୁ ଉଠି ଠିଆହେଲେ)

ଜଟିଳା

-

ଲଳିତା ! ଯା, ବୋହୂଙ୍କୁ ନେଇ ଯା, ବେଗେ ଗାଧୋଇଆସ । ଭଗବତୀ ପୌର୍ଣ୍ଣମାସୀ କହିଛନ୍ତି, ବୋହୂ ଆଜିଠାରୁ ପ୍ରତିଦିନ ସୂର୍ଯ୍ୟପୂଜା କରିବାକୁ ଗଲେ ତାଙ୍କ ଦେହ ଭଲ ହୋଇଯିବ । ତୁମେମାନେ ସାଙ୍ଗରେ ଯାଅ । କପିଳା ଗାଈଦୁଧ, ଦହି, ଛେନା, ଫୁଲଚନ୍ଦନ ଏସବୁ ମୁଁ ଯୋଗାଡ଼ କରିଦେଉଛି ।

ବୃନ୍ଦା

-

ଶ୍ରୀମତୀ ! ତୁମେ ଆଉ ଉଛୁର କର ନାହିଁ । ଆସ ଲଳିତା, ବେଗେ ତାଙ୍କୁ ନେଇଆସ । ବେଳ ଗଲା ।

 

 

(ଜଟିଳା ଓ ବୃନ୍ଦା ଚାଲିଗଲେ)

ଲଳିତା

-

ସଖି ! ଆଉ ସନ୍ଦେହ କରିବାର କିଛି ତ ନାହିଁ । ମୁହଁରୁ ମୋର କଥା ସରିଚି କି ନାହିଁ ତମ ସପନ ଫଳିଲା ।

ଶ୍ରୀମତୀ

-

କେମିତି ?

ଲଳିତା

-

ସୂର୍ଯ୍ୟପୂଜାଠି ଦେଖିବ ।

ଶ୍ରୀମତୀ

-

ସେ କଅଣ ...?

ଲଳିତା

-

ଏଥିରେ ଭୁଲ ହୋଇ ଆଉ ଠୋପେ ଅଛି ?

ବିଶାଖା

-

ନିଶ୍ଚେ ଫଳ ଫଳିବ ।

ଶ୍ରୀମତୀ

-

କୋଉ ଫଳ ?

ଲଳିତା

-

ନିଶିର ସପନ ସଖି !

ବିଶାଖା

-

ନିଶିସପନ ସଖି ! ଫଳ ଫଳିଗଲା ନା ? ସଞ୍ଜମେଘେ ରୁପାଥାଳି ଜହ୍ନ ଖେଳିଗଲା ନା ?

ଲଳିତା

-

ନା ନା, ପୂରୁବ ମେଘକାନ୍ଥି ତଳେ ରବି ଦେଖାଦେଲା ।

ବିଶାଖା

-

ସତେ, ଏ କି ହେଲା ?

ଲଳିତା

-

ସତେ ଏ କି ହେଲା ରେ ?

ବିଶାଖା

-

ସତେ ଏ କି ହେଲା ? ତୋରି କଥା ...

ଲଳିତା

-

ମୋରି କଥା ସତେ ସତ ହେଲା ନା ?

 

ପଟ୍ଟପତନ

ଚତୁର୍ଥ ଅଙ୍କ - ପ୍ରଥମ ଦୃଶ୍ୟ

(ବନ - ମଧୁମଙ୍ଗଳ ଶ୍ରୀକୃଷ୍ଣଙ୍କ ମୁକୁଟ ଇତ୍ୟାଦି କାଢ଼ି ତାଙ୍କୁ ବ୍ରାହ୍ମଣପରି ବେଶ କରୁଥିଲେ)

 

(ଗୀତ)

ସୁନ୍ଦର ଶ୍ୟାମ ମୋହନମୂରଲିଆ

ତେଜ ଏ ଦୁଃଖ, କଞ୍ଜମୁଖ, କେକୀଝାଲିଆ ।୦।

ଭେଟିବୁ କୁଞ୍ଜେ ଆଜି ତୋର ପ୍ରୀତି - ସାଥିରେ,

ତୋ’ଲାଗି କୋଟିଚନ୍ଦ୍ର ଭାତିବେ ଏ ରାତିରେ

ସଜାଏଁ ବେଶ, ନୁହଁ ନିରାଶ,

ଫୁଟାଅ ଚନ୍ଦ୍ରମୁଖେ ହାସ ବନମାଳିଆ,

ଘନକାଳିଆ ।୧।

 

(ନେପଥ୍ୟରୁ କାହାକୁ ଦେଖି ଶ୍ରୀକୃଷ୍ଣଙ୍କୁ ପଛକୁ ଟାଣିନେଇ ମଧୁ ଲୁଚିଗଲେ)

 

ଲଳିତା

-

(ବିଶାଖାଙ୍କୁ ଠାରି ଦେଖାଇଲେ) ଦେଖୁନୁ, ତୋର ସବୁଥିରେ ମଠ ।

ବିଶାଖା

-

କାହିଁମ, କିଏ ?

ଲଳିତା

-

ହେଇଟି, ଆଗରେ ବୃନ୍ଦା, ପଛରେ ଜଟିଳା, ମଝିରେ କିଏ, ଦିଶୁଛି ? (ମୁହଁକୁ ଟେକି)

 

(ଗୀତ)

ଅନାଅଁ ରେ ଅନାଅଁ

ଅନାଅଁ ରେ ସଖି ମତ୍ତଗଜ ଚାଲି

ଯମୁନାତଟକୁ - କଦମ୍ବମୂଳକୁ

ଝୁଲିଆସେ କି ବଣମଲ୍ଲୀ - ରସମଲ୍ଲି ରେ ।୧।

ପାହୁଣ୍ଡକୁ ବଳ ନ ଥିଲା ତାହାର

ଧରଣୀ ଲୋଟୁଥିଲା କାଲି ରେ

ସଖି । ମତ୍ତଗଜ ଚାଲି ରେ ।୨।

(ଗୀତ ଗାଇ ଦୁହେଁ ଚାଲିଗଲେ)

 

ମଧୁ

-

(ବାହାରକୁ ଆସି) କହ୍ନେଇ, କେବେ ଶଙ୍ଖଚିଲ ଦେଖିଛ ?

କୃଷ୍ଣ

-

ଅନେକ ଥର ।

ମଧୁ

-

ମିଛ କଥା ।

କୃଷ୍ଣ

-

ମିଛ କଥା ?

ମଧୁ

-

ନିଶ୍ଚୟ ।

କୃଷ୍ଣ

-

କେମିତି ?

ମଧୁ

-

କହ ନା ଦେଖି, ତାଙ୍କ ରୂପ କେମିତି ?

କୃଷ୍ଣ

-

ତାଙ୍କର ଡେଣା ଅଛି, ଗୋଡ଼ ଅଛି, ଥଣ୍ଟ ଅଛି ।

ମଧୁ

-

ହଁ ହଁ, କହିଯା ।

କୃଷ୍ଣ

-

ମୁହଁଟା ଧଳା, ଦେହ ନାଲିଆ ।

ମଧୁ

-

ବୁଝାଗଲା, ଯାହାକୁ ଦେଖିଛ, ସେ ବିଲ୍‌କୁଲ୍‌ ଚିଲ ନୁହେଁ ।

କୃଷ୍ଣ

-

ନୁହେଁ ?

ମଧୁ

-

ନା, ନୁହେଁ ।

କୃଷ୍ଣ

-

କିଏ କହିଲା ?

ମଧୁ

-

ମୁଁ କହୁଛି, ଶଙ୍ଖଚିଲ ସେମିତି ନୁହେଁ, ତାଙ୍କର ହାତ ଅଛି, ଗୋଡ଼ ଅଛି, ନାକ ଅଛି, ସେ କଥା କହନ୍ତି - ଗୀତ ଗାଆନ୍ତି ।

କୃଷ୍ଣ

-

ମିଛ କଥା ।

ମଧୁ

-

ବାଜି ଲଗା । (ହାତ ଦେଖାଇ)

କୃଷ୍ଣ

-

ଦେଖାଇଦେବ ?

ମଧୁ

-

ନିଶ୍ଚୟ, ବାଜି ଲଗା ।

କୃଷ୍ଣ

-

(ହାତ ଦେଇ) ଆଚ୍ଛା !

ମଧୁ

-

ମୂର୍ଖ ! ଆଗରେ ଗଲେ ଦୁଇଟି ଶଙ୍ଖଚିଲ, ଯାହାଙ୍କର ନାକ, କାନ, କଥା ଗୀତ ଦେଖିଲ ଆଉ ଶୁଣିଲ ।

କୃଷ୍ଣ

-

ଓଃ, ତାଙ୍କୁ ପରା ତୁମେ ଶଙ୍ଖଚିଲ କହ, ନା ?

ମଧୁ

-

ଆମେ ଖାଲି ? ଗୋସେଇଁବାପାଙ୍କ ଅମଳରୁ । ଶୁଣିଲ ନାହିଁ, କଅଣ କହିଗଲେ ? ଶ୍ରୀମତୀ ଗଲେଣି । ଚାଲ, ବେଗେ ଚାଲ । ଶୁଭ, ଶୁଭ ! ଯେ ଶୁଭ, ସେ ଶଙ୍ଖଚିଲ। ତାଙ୍କର ମତ୍ତଗଜଚାଲି କି ଆମର ପବନପରି ଦୌଡ଼ । ଅନାଁ, ଏମିତି ।

 

 

(ଦୌଡ଼ାଇ ନେଇଗଲେ ଶ୍ରୀକୃଷ୍ଣଙ୍କୁ)

 

 

ଦ୍ୱିତୀୟ ଦୃଶ୍ୟ

(ସୂର୍ଯ୍ୟପୂଜାବେଦି - ବୃନ୍ଦା, ଜଟିଳା, ଶ୍ରୀମତୀ, ଲଳିତା, ବିଶାଖା ଓ ଅନ୍ୟ ସଖୀମାନେ ପୂଜା କରୁଛନ୍ତି)

 

ବୃନ୍ଦା

-

ଜଟିଳେ ! ଆଜି ଏ ଯେଉଁ କାର୍ଯ୍ୟଟି କଲ, ଏଥିରେ ଶ୍ରୀମତୀଙ୍କ ଦେହ ତ ଆରୋଗ୍ୟ ହେବ ପୁଣି ଘର ଧନ, ଜନ, ଗୋପଲକ୍ଷ୍ମୀରେ ପୂରିଉଠିବ । ଶ୍ରୀମତୀ ନିତି ଏଠାକୁ ଆସି ସୂର୍ଯ୍ୟପୂଜା କରି ଯାଉଥିବେ ।

ଜଟିଳା

-

ବୃନ୍ଦେ ! ସବୁଦିନ ମୁଁ ତ ଆଉ ତାଙ୍କ ସାଙ୍ଗରେ ଏଠିକି ଆସିପାରିବି ନାହିଁ ।

ବୃନ୍ଦା

-

କିଛି ଦରକାର ନାହିଁ । ସଖୀମାନେ ସଙ୍ଗରେ ନେଇ ଆସୁଥିବେ - ଏଇଆଡ଼େ ଏକାବେଳେ ସ୍ନାନ କରି, ପୂଜା ବଢ଼େଇ ଶ୍ରୀମତୀ ଘରକୁ ବାହୁଡ଼ିବେ ।

ଜଟିଳା

-

ହଁ ଦେବୀ, ଏମିତି ହେଲେ ହେଲା । ମୋର ତ ତେଣେ ଘରଗୋଟାକର କାମ - ଘରୁ ବାହାରିପାରିଲେ ତ ?

ବୃନ୍ଦା

-

ଗୋପପୁରରେ ଡରଭୟ କଅଣ ? ଶ୍ରୀମତୀ ସଖୀମାନଙ୍କୁ ସଙ୍ଗରେ ନେଇ ଆସୁଥିବେ । ଏ ପୂଜା କେବେ ବନ୍ଦ କରିବ ନାହିଁ ।

ଜଟିଳା

-

ନାଇଁ ଦେବି, ଏ ତ ଅଧକରୁ ଅଧିକ କଥା । ବନ୍ଦ କାହିଁକି ହେବ ?

ଲଳିତା

-

ଦେବି । ବହୁତ ବେଳ ହେଲାଣି । ବ୍ରାହ୍ମଣ ତ କାହିଁ ଦେଖା ନାହାନ୍ତି ? ଆଞ୍ଜୁଳି କେମିତି ଦେବା ?

Rr

-

(ମଧୁ ଓ ବ୍ରାହ୍ମଣବେଶରେ ଶ୍ରୀକୃଷ୍ଣଙ୍କ ପ୍ରବେଶ )

ବୃନ୍ଦା

-

ହେଇଟି ତ ବଟୁ ପହୁଞ୍ଚିଗଲେଣି । ଆସ ଆସ, ତମକୁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି । ଏତେ ବେଳଯାଏ କଅଣ କରୁଥିଲ ହେ ?

ମଧୁ

-

ନିତ୍ୟକର୍ମ ବଢ଼ାଇ ଆସୁଛି ତ । ତା’ପରେ ଉଛୁର ହେଦାର ଆଉ ବି ଟିକିଏ କାରଣ ଅଛି । ୟେ ନନାଟି ଟିକିଏ ମଠୁଆ - ଏଣେ ପୁଣି ସର୍ବବିଦ୍ୟାରେ ମହା ପଣ୍ଡିତ, ନୈଷ୍ଠିକ । ସମସ୍ତଙ୍କର ଟଣାଟଣି ୟାଙ୍କୁ । କାହାର ଏବେ ହେବ ସେ ? ଆଖି ସମସ୍ତଙ୍କର ୟାଙ୍କରି ଉପରେ । ମୁଁ ତ ନେଇକରି ଆସୁଛି ତାଙ୍କୁ । କ’ଣ କରିବି ? ଏଣିକି ଆଉ ମଠ ହବ ନାଇଁ ।

ବୃନ୍ଦା

-

ଭଲ ହେଲା; ସେ ପୂଜା ବଢ଼ାନ୍ତୁ । ଯା, ସମସ୍ତେ ବିପ୍ରଙ୍କୁ ପ୍ରଣାମ କରି ଆଶୀର୍ବାଦ ନିଅ ।

 

-

(ଗୋପୀମାନେ ପ୍ରଣାମ କଲେ)

ଜଟିଳା

-

ଆସ ବାବା, ମନ୍ତ୍ର ପଢ଼ି ଫୁଲଆଞ୍ଜୁଳି ଦିଅ ।

କୃଷ୍ଣ

-

ଦେବି ଯେ, ମୋର ଗୋଟିଏ କଥା କହିବାକୁ ଅଛି । ସ୍ମୃତିବାକ୍ୟ ପ୍ରମାଣରେ ମୁଁ ପୂଜା କରି ଦକ୍ଷିଣା ନିଏ ନାହିଁ ଏଥିରେ ସମ୍ମତି ଦେଲେ ପୂଜା ଆରମ୍ଭ କରିବି ।

ଜଟିଳା

-

ୟେ ପୁଣି କୋଉ ରାଇଜର କଥା ? ଦକ୍ଷିଣା ନ ନେଇ କର୍ମ୍ମ କଲେ ଫଳ କ’ଣ ? ଆମର ଯେ ଧରମହାନି ହବ।

ମଧୁ

-

କି ମିଲିବ ସେ କଥାରୁ ? ସେ ନ ନିଅନ୍ତୁ ; ମୁଁ ତ ତାଙ୍କୁ ଆଣିଛି, ସେ ପୂଜା କରନ୍ତୁ - ଯାହା ତମର ଦେବାର କଥା, ମୋତେ ଦେଇଦେବ ।

ଲଳିତା

-

ଭଲା କଥା ଏ ହେଲା - ପୂଜା କରିବ ଜଣେ, ଦକ୍ଷିଣା ନବ ଜଣେ (ହାସ୍ୟ) । ଏ ତ ରାଇଜବାହାର - କଥା ।

କୃଷ୍ଣ

-

ନାଇଁ ନାଇଁ, ହସିବାର ତ କିଛି ନାଇଁ । ମୁଁ ସେଥିରେ ରାଜି ଅଛି । ସେ ଗ୍ରହଣ କରନ୍ତୁ - ମୋର ସେଥିରେ ତୃପ୍ତି ।

ବୃନ୍ଦା

-

ଏକା କଥା ସେ । ତାଙ୍କର ଯେବେ ସେଥିରେ ସମ୍ମତ୍ତି ହେଲା, ତେବେ ସେ କଅଣ ଆମ ଦକ୍ଷିଣା ଗ୍ରହଣ କଲେ ନାହିଁ କି ?

ସମସ୍ତେ

-

ହେଲା ହେଲା, ସେଇଆ ହଉ ।

 

କୃଷ୍ଣ

(ସୂର୍ଯ୍ୟପୂଜା ଆରମ୍ଭ କଲେ)

ଓଁ ଅସ୍ୟ ଶ୍ରୀରବିମହାଗ୍ରହସ୍ତୋତ୍ରସ୍ୟ, କାଶ୍ୟପଋଷିଃ,

ଅନୁଷ୍ଟପ୍‌ ଛନ୍ଦଃ, ରବିମହାଗ୍ରହୋ ଦେବତା,

ରବିମହାଗ୍ରହସ୍ୟ ପ୍ରୀତୟେ ବିନିଯୋଗଃ ।

 

ଯବାକୁସୁମସଂକାଶଂ କାଶ୍ୟପେୟଂ ମହାଦ୍ଦ୍ୟୁତିଂ,

ଧ୍ୱାନ୍ତାରିଂ ସର୍ବପାପଘ୍ନଂ ପ୍ରଣତୋଽସ୍ମି ଦିବାକରଂ ।

ସପ୍ତାଶ୍ୱବାହନୋ ସୂର୍ଯ୍ୟଃ ବରତଃ ପଦ୍ମଲାଞ୍ଛନଃ,

ସର୍ବତେଜୋମୟୋଦେବଃ ସ୍ମର୍ତ୍ତବ୍ୟୋଽର୍କଗ୍ରହ ସଦା ।।

 

ଆଦିତ୍ୟଂ ଭାସ୍କରଂ ଚଣ୍ଡଂ ଚଣ୍ଡରଶ୍ମିଂ ଦ୍ୱିଜାକୁଳଂ,

ଗ୍ରହାଣାମଧିପଂ ସୂର୍ଯ୍ୟଂ ମାର୍ତ୍ତଣ୍ଡଂ ସର୍ବଶୋଷଣଂ ।।

ଭର୍ତ୍ତାରଂ ସର୍ବଲୋକାନାଂ ପ୍ରଭବଂ ଚ ଦିବାକରଂ,

ସୁରସୁତଂ ଦିବାନାଥଂ ତମଃସଂଘାତକଂ ଶୁଚିଂ ।।

 

ପ୍ରଭାକରଂ କାଶ୍ୟପେୟଂ ସପ୍ତାଶ୍ୱରଥବାହାନଂ,

ହନ୍ତାରଂ ସର୍ବସତ୍ତ୍ୱାନାଂ ଛାୟାହୃଦୟବଲ୍ଲଭଂ ।।

ଦୁର୍ନିରୀକ୍ଷଂ ଦୁରାଧଷଂ ଦୁଃଖଦାରିଦ୍ର୍ୟନାଶନଂ,

ଗ୍ରହାଣାମଗ୍ରଗଣନଂ ମିହିରଂ ପ୍ରଣମାମ୍ୟହଂ ।।

 

ପଞ୍ଚବିଂଶତି ନମାମି ରବେର୍ଯତ୍ନେନ ଯ ପଠେତ୍‌,

ସ ଚିରାୟଭେବନ୍ନତ୍ୟଂ ପୁତ୍ରବାନ୍‌ ଯାୟତେ ଧ୍ରୁବଂ ।।

ପ୍ରଜ୍ଞା - ଳକ୍ଷ୍ମୀର୍ଯଶଃ କୀର୍ତ୍ତି - ଧନ - ଧର୍ମ୍ମବିବଦ୍ଧନଂ,

ଦୁଷ୍ଟଗ୍ରହପ୍ରଶମନଂ ସର୍ବଶୁଭବିନାଶନଂ ।।

ମଧୁ

-

(ଜଟିଳାପ୍ରତି) ଦିଅ, ପୂଜା ତ ବଢ଼ିଲା, ଦକ୍ଷିଣା ଆଣ । (ପୂଜା - ଉପକରଣ ଗୋଟାଉ ଗୋଟାଉ) ଦେଖିଲ ତ, ବିପ୍ରଙ୍କୁ ଅଳ୍ପ ବୟସ ମନେ କରି ଜ୍ଞାନରେ ଊଣା ମନେ କରୁଛ କି ? ଭାରି ଜଣେ ୟେ । ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଦିଗ୍‌ବିଜୟୀ ପଣ୍ଡିତ । ସାମୁଦ୍ରିକ ତ ୟାଙ୍କଠୁଁ ଜନ୍ମ ବୋଇଲେ ଚଳେ ।

ଜଟିଳା

-

ତେବେ ବାପା, ଆମ ବୋହୂଙ୍କ ହାତ ଟିକିଏ ଦେଖନ୍ତେ । ଦେଖି ମା, ଗୋସେଇଁଙ୍କି ହାତଟା ଦେଲ ।

କୃଷ୍ଣ

-

ନା ନା, ଜନମ ଅବଧି ମୁଁ ସ୍ତ୍ରୀ - ଅଙ୍ଗ ଛୁଇଁ ନାହିଁ । ହାତ ଛୁଇଁବି କେମିତି ?

ଲଳିତା

-

ସେଥିରେ କିଛି ଦୋଷ ନାହିଁ ତ । ବୈଦ୍ୟ, ଜ୍ୟୋତିଷ ଏମାନଙ୍କ ପାଖେ ଦୋଷ ଲେଖୁ ନାହିଁ । ଆପଣ ତ ମହାଜ୍ଞାନବନ୍ତ ଏ କଥା କିପରି କହୁଛନ୍ତି ? ଏ ପ୍ରତିଜ୍ଞା କ’ଣ ରହିବ ?

ମଧୁ

-

ନାଇଁ ନାଇଁ, ତାଙ୍କର ଯେତେବେଳେ ଗୋଟିଏ ପ୍ରତିଜ୍ଞା ଅଛି, ନ ହେଲା ନ ଛୁଅଁନ୍ତୁ । ଏମିତି ଛୁଇଁବା ଲାଭ କଅଣ ? ହାତ ଦେଖାନ୍ତୁ, ଏଇଠୁ ଅନେଇ ସେ ଲକ୍ଷଣ କହିଦେବେ ଯେ । (ଶ୍ରୀମତୀଙ୍କ କର ପ୍ରସାରଣ କରି ଲଳିତା ହସିଲେ)

କୃଷ୍ଣ

-

ଆହା - ହା ! ଏଭଳି ହାତ ତ ମୁଁ କେବେ କେଉଁଠାରେ ଦେଖି ନାହିଁ । ଏ ତ ସାମାନ୍ୟ ମନୁଷ୍ୟ କେଉଁଠାରେ ଦେଖି ନାହିଁ । ଏ ତ ସାମାନ୍ୟ ମନୁଷ୍ୟ ନୁହନ୍ତି । ପରମା ସତୀ, ଦେବୀ । ଊନବିଂଶତି ଲକ୍ଷଣ ୟାଙ୍କ କରରେ ରହିଛି । ୟାଙ୍କଯୋଗୁଁ ଦେଶ, କୂଳ, ପିତା, ମାତା ସମସ୍ତେ ସୌଭାଗ୍ୟବନ୍ତ । ପୁଣି ଯେ ୟାଙ୍କ କର ଧରିଛନ୍ତି, ତାଙ୍କର ଭାଗ୍ୟର ସୀମା ନାହିଁ । ଅତି ଅଳ୍ପ ମରମାୟୂ ହୋଇଥିଲେ ମଧ୍ୟ ଏ ପତିବ୍ରତାଙ୍କ ଧର୍ମ୍ମବଳରୁ ପତି ଦୀର୍ଘାୟୁ ହେବେ । ଧନ - ଧାନ୍ୟ ଗୋପ ଲକ୍ଷ୍ମୀରେ ପୁର ପୂରିଉଠିବ । ଆଉ ଗୋଟିଏ ବିଶେଷ ଗୁଣ ଅଛି - ୟାଙ୍କ ହାତରେ ଅନ୍ନପୂର୍ଣ୍ଣ । ୟାଙ୍କ ହାତରନ୍ଧା ପଦାର୍ଥ, ଅଳ୍ପ ହେଲେ ବି ବହୁତ ହେବ । ତିନିପୁରର ଲୋକ ସନ୍ତୋଷରେ ଖାଇ ମଧ୍ୟ ବଳି ରହିଥିବ । ୟାଙ୍କ ନାମ କଅଣ ? କାହାର ଏ କନ୍ୟା ? କେଉଁ ଗୃହର ଲକ୍ଷ୍ମୀ ? ଧନ୍ୟ ପିତା - ମାତା, ଧନ୍ୟ ଶାଶୁ ଶଶୁର !

ଲଳିତା

-

ଆମ ସଖୀଙ୍କ ନାମ ଶ୍ରୀମତୀ ରାଧିକା । ବୃକ୍ଷଭାନୁ - ରାଜକୁମାରୀ । ଆର୍ଯ୍ୟା ଜଟିଳା ଏହାଙ୍କର ଶାଶୁ । ଏ ଅଭିମନ୍ୟୁଙ୍କର ସହଧର୍ମ୍ମିଣୀ ।

କୃଷ୍ଣ

-

ଓ, ୟାଙ୍କରି ନାମ ତେବେ ରାଧିକା ? ମୁଁ ଋଷିମାନଙ୍କଠାରୁ ୟାଙ୍କରି ନାମ କୌଳାସରେ ଶୁଣିଥିଲି । ଧନ୍ୟ, ଧନ୍ୟ ହେଲି। ଏ ତ ଜଗତବନ୍ଦିନୀ ଦେବୀ । ଧନ୍ୟ ହେଲା ନୟନ ଆଜି । ଜଟିଳେ, ତୁମେ ପରମ ଭାଗ୍ୟବତୀ, ଏସବୁ କେବଳ ପୂର୍ବତପସ୍ୟାର ଫଳ ।

ଜଟିଳା

-

ଗୋସେଇଁ ! ପ୍ରତିଦିନ ବୋହୂ ମୋର ସୂର୍ଯ୍ୟପୂଜା କରିବାକୁ ଆସିବେ । ଟିକିଏ ତାଙ୍କ ପୂଜା ତମେ ଆସି ବଢ଼େଇଦେଇଯାଉଥିବ; ତେବେ ଆମର ସବୁ ଆନନ୍ଦ ।

କୃଷ୍ଣ

-

ଘର ମୋର ମଧୁପୁର । ବହୁ ଦୂର । କଥା ରହିବ ନ ରହିବ - ବ୍ରଜକୁ ଆସିବା ଦିନ ଅବଶ୍ୟ ପୂଜା ବଢ଼ାଉଥିବି, ନ ହେଲେ ଏ ବଟୁ ଆମ୍ଭର ପ୍ରତିନିଧି । ଏ ସବୁ କାର୍ଯ୍ୟ କରିଦେଉଥିବେ । ତୁମେ କିଛି ଭାବନା କର ନାହିଁ । ମୋର ବିଳମ୍ବ ହେଉଛି, ମୁଁ । ଆସ ବଟୁ ।

ମଧୁ

-

ଆସ ବଟୁ, କାହିଁକି ? ଜ୍ୟୋତିଷ - ଦକ୍ଷିଣା ? ତୁମେ ନେବ ନାହିଁ ବୋଲି ଏ ପ୍ରତିନିଧି କଅଣ ନେବ ନାହିଁ ?

ଜଟିକା

-

ହଉ ହଉ ବାପା, ନିଅ ।

ମଧୁ

-

ସେ ତ ନୁହେଁ, ଶ୍ରୀମତୀ ନିଜ ହାତରେ ଦିଅନ୍ତୁ । ପୂଜକ ବିପ୍ର ଗ୍ରହଣ କରନ୍ତୁ - ନିଅନ୍ତୁ ନ ହେଲେ ଆମକୁ ଅବା ଦିଅନ୍ତୁ । ସେ କଥା ତ ଅଛି ।

ଲଳିତା

-

ଦିଅ ସଖି ! ଦିଅ, ଦକ୍ଷିଣା ଦିଅ ।

ଶ୍ରୀମତୀ

-

(ମୁଦି କାଢ଼ି)

ମଧୁ

-

ଆଚାର୍ଯ୍ୟେ, ଗ୍ରହଣ କର ।

କୃଷ୍ଣ

-

ତୁମେ ଆଣ ବଟୁ । ତୁମେ ତ ଜାଣ, ମୁଁ ଦକ୍ଷିଣା ନିଏ ନାହିଁ ।

ମଧୁ

-

ପୁଣି ସେଇ କଥା ? ତୁମେ ନ ନେଲେ ଆମେ ତ ନେବୁ । ଆଣି ଆମକୁ ଦିଅ ।

ବୃନ୍ଦା

-

ହଉ, ସେଇଆ କର ।

କୃଷ୍ଣ

-

(କର ପ୍ରସାରଣ କରି ମୁଦ୍ରିକାଗ୍ରହଣ ଓ ବୁଟୁଙ୍କୁ ପ୍ରଦାନ ।)

ମଧୁ

-

ବାଃ, ବେଶ୍‌ ଦକ୍ଷିଣା । ଏମିତି ନ ହେଲେ କି ରାଜକନ୍ୟା ? ଏମିତି ନ ହେଲେ କି ପୂଜାରେ ମନ ମାନେ ନା ପୂଜା ସଫଳ ହୁଏ ? ଆସ ଆଚାର୍ଯ୍ୟେ ।

ଜଟିଳା

-

ନିତି ନିତି ଆସି ପୂଜାଟି ବଢ଼େଇଦେଇ ଯାଉଥିବ ବାପା । ମୁଁ ତ ଆଉ ସବୁଦିନେ ଆସିପାରିବି ନାହିଁ, ଏଇ ସଖିମାନେ ଆସୁଥିବେ - ଶ୍ରୀମତୀ ଆସିବେ ।

ମଧୁ

-

ଉତ୍ତମ, ଉତ୍ତମ ! ଆପଣ ଆସି ନ ଆସି ଆଉ କଅଣ ? ଆପଣ ତ ଆଉ ପୂଜା କରିବେ ନାଇଁ । ପରିଚୟ ତ ହୋଇଗଲା, ଦେଖାଶୁଣା ହୋଇଗଲା । ଆପଣ ଆଉ ଏତେବେଳଯାଏ ଉପାସ ରହି କ’ଣ ପୂଜା କରିପାରିବେ ? ଦିହରେ ଯିବ କି ? ବୟସ ପରା ହୋଇଗଲା । ଯାଅ ମା, ଆମକୁ ଫେର୍‌ ବିଳମ୍ବ ହେବ । ଆପଣଙ୍କର ମଧ୍ୟ ଦିହସୁହା ହବ ନାହିଁ । ଆସ ଆଚାର୍ଯ୍ୟେ ! କାଲି ପୁଣି ଆସିବାକୁ ପଡ଼ିବ ତ ।(ଶ୍ରୀକୃଷ୍ଣଙ୍କ ସହ ଚାଲିଗଲେ)

ବୃନ୍ଦା

-

ଆସ ତେବେ ଜଟିଳେ ! କାଲିଠାରୁ ଆଉ ଆମ୍ଭମାନଙ୍କର ଆସିବା କି ଦରକାର ? ଲଳିତା ! ତୁମ୍ଭେମାନେ ଆସି ପୂଜା ବଢ଼େଇଦେଇ ଯାଉଥିବ । ଦେଖ, ପୂଜାରେ ଯେମିତି ଦିନେ ବିଘ୍ନ ଘଟେ । ଚିହ୍ନାଜଣା ତ ହୋଇଗଲା, ଆଉ କଅଣ?

ଜଟିଳା

-

ହଁ, ଆଉ କ’ଣ ? ଆସ ମା, କର୍ମ୍ମକୁ ଏକା ଭଲ ବ୍ରାହ୍ମଣପୁଅଟିଏ ମିଳିଗଲେ । ବୟସରେ ପିଲା ହେଲେ କଅଣ ହେବ ଭଲ ବୁଦ୍ଧି। ହଁ ହଁ, ଚାଟଘରପୁଅ ଚାଟ୍‌।

 

ତୃତୀୟ ଦୃଶ୍ୟ

(ପଥ - ମଧୁ ବଡ଼ ଆନନ୍ଦରେ ଗାଇ ଗାଇ ଆସୁଥିଲେ)

(ଗୀତ)

ମଧୁ

ରେ କୋଇଲି, ଫୁଲବନେ କୁହୁ ଗାଆ

ଧୀରେ ବହି ଆ, ମହୁଆ ବାଆ

ସପତ ସୁରେ, ବେଣୁ ବାଜ ରେ,

ଯମୁନାତୀରେ, ଧୀରେ ସମୀରେ

ଭସାଇ ତୋ ପୀରତି - ନାଆ ।

 

ଶ୍ରୀକୃଷ୍ଣ

-

(ପଛରୁ ଶୁଣୁଥିଲେ ଆସି) ଯା, ବଡ଼ ଦୁଷ୍ଟ ତୁମେ !

ମଧୁ

-

କହିଁକି ?

ଶ୍ରୀକୃଷ୍ଣ

-

ଏତିକିରେ ଏଡ଼େ ଆନନ୍ଦ ?

ମଧୁ

-

ଆଉ କଅଣ ମହୁ ପରଖା ହୋଇଥିଲେ ଆନନ୍ଦ ହୋଇଥାଆନ୍ତି ?

ଶ୍ରୀକୃଷ୍ଣ

-

ଆଉ ?

ମଧୁ

-

ମାତ୍ରାଟା ତ ଧରିଛି । ମହୁମାଛିଙ୍କି ଖୁସାମତ୍‌ କଲେ ମହୁ ମିଳିଲା - ଡ଼େରି କଅଣ ?

ଶ୍ରୀକୃଷ୍ଣ

-

କିନ୍ତୁ ନାହୁଡ଼ି ଅଛି ଯେ ।

ମଧୁ

-

ଧୁଆଁଦବ ? ଅନ୍ଧ ଅନ୍ଧ, ସବୁ ଅନ୍ଧ ହେବେ - ଆଜି ଯେମିତି ହେଲେ । ଆମେ ଆମର ମହୁ ଚିପୁଡ଼ିନେଇ ପାର୍‌।

ଶ୍ରୀକୃଷ୍ଣ-

-

ଅନ୍ଧ ହେଲେ ଆଉ ସୁଖ କଅଣ ? ଚୋରପଣିଆ ସେ ।

ମଧୁ

-

ଭଲ କଥା । ଆଖିରେ ଆଙ୍ଗୁଠି ଗୋଞ୍ଜି ମହୁ ନେଲେ ତ ହବ । ଆଛ, ତଟକା ଆମ ହାତର କରାମତିଟା ଦେଖାଇଦବା ।

ଶ୍ରୀକୃଷ୍ଣ

-

ଦେଖି ।

ମଧୁ

-

ଆସ ।

 

 

(ଅନ୍ତରାଳକୁ ଦେଖାଇ ଘେନିଗଲେ)

 

ଚତୁର୍ଥ ଦୃଶ୍ୟ

(କୁଞ୍ଜବନ - ଶ୍ରୀମତୀ ଓ ସଖୀମାନେ)

 

ସଖୀମାନେ

(ଗୀତ)

ଏ କଞ୍ଜଖଞ୍ଜନାକ୍ଷି, କୁଞ୍ଜରଗମନା ରେ ।୦।

କୋକିଳକଳବଚନା ଏ କୁଞ୍ଜପଟକୁ ଅନା

କେତେ କେତେ ଜାତିରେ ଫୁଟିଛି ସୁମନା ରେ ।୧।

 

ଦେଖ ଏ କେତକୀ ସହି ! କଣ୍ଟକଦୁର୍ଗରେ ରହି

ମଧୁ ସୂଦନ ବିନେ ଭୁଲୁଛି ଯାତନା ରେ ।୨।

ତୋ ଅଙ୍ଗୁଳିବଳିଭଳି ହୋଇବାରୁ ଚମ୍ପାକଳି

ଭୃଙ୍ଗ ପାଶୁ ପଳାଏ ବାରି ତା ବାସନା ରେ ।୩।

 

ଶ୍ରୀମତୀ

-

ବୃନ୍ଦାବନର ଶୋଭା ଦେଖି ମନ ହୁଏ ସଖି, ନିଜ ହାତରେ ଆଜି ଫୁଲତକ ତୋଳନ୍ତି କି !

ବିଶାଖା

-

କାହିଁକି ରାଧେ ? ତୁଳସୀ ତ ଯାଇଛି ଫୁଲତୋଳି । ଆଣିବ ନାହିଁ ଯେ, ତୁମେ ବୁଲି ବୁଲି ଫୁଲତୋଳି ଯିବ ?

ରାଧା

-

ନାଇଁ ମ ସହି, ବୃନ୍ଦାବନର ଶୋଭା ଆଖିରୁ ଛାଡ଼ୁ ନାହିଁ । ମନ ହଉଚି, ବୁଲି ବୁଲି ଆପେ ଆପେ ଫୁଳଫୁଲ ତୋଳନ୍ତି । ଆସ ଲଳିତା ।

ଲଳିତା

-

ଯିବାକୁ ମନ ନ ଥିଲା ଯେ, ବାକି ସହି, ଗୋଟିଏ ଅଡ଼ୁଆ ଅଛି । ତୁମେ କୁଳବତୀ ପୁଣି ରୂପବତୀ । କୁଞ୍ଜବନ ବଡ଼ ବିଷମ ଥାନ। କୋଉଠି ଭୂତ - କୋଉଠି ଦେବତା - କାହା ଆଖିରେ ପଡ଼ିବ...

ରାଧା

-

ଯା’ ମ, ମୁଁ କଅଣ ପିଲା ହେଇଛି ଯେ ମୋତେ ଭଣ୍ଡୋଉଛ ?

ଲଳିତା

-

ମିଛ ତ ମଣିବ । ସତେ ସହି -

 

(ଗୀତ)

କୁଞ୍ଜବନରେ କାଳିଆ ଦେବତା ବୁଲୁଛି, ।୦।

କୁସୁମ ତୋଳିଲାପରି      ନୁହଇଟି ଶ୍ରୀକିଶୋରୀ

ଦେଖିଦେଲେ ତା’ ମଧୁରୀ ଘେନିଯିବ କୋଳକରି

ମୋତେ ଜଳ ଜଳ ଦିଶୁଛି ।୧।

 

କେ ବେ ଲେ ଦଳିତାଞ୍ଜନ କେ ବୋଲଛି ନବଘନ

କାନ୍ତି ପୁଣି ସାବଧାନ ହୋଇଥା’ ସେ ଗାବର୍ଦ୍ଧନ

ମଲ୍ଳଗୃହିଣୀକି ଲାଗିଛି ।୨।

 

ଥାଉ ସ୍ୱଚ୍ଛେ ଦେଖିବାର      ପ୍ରସଙ୍ଗ ପଡ଼ିଲେ ତାର

ନୟନୁ ବହଇ ନୀର            ଅସ୍ଥିର ହୁଏ ଶରୀର

ପୁଲକରେ ପୂରିଯାଉଛି ।୩।

 

ଅଙ୍ଗେ ସବୁ ଅଳଙ୍କାର      ସଦା ଲାଗିରେ ଥିବାର

ଶିରେ ଚୂଳ ଶିଖଣ୍ଡର      କୋଟିଏ ସୁରସୁନ୍ଦର

ରୂପ ବୋଲି ଶୁଣାଯାଉଛି ।୪।

 

ଲତାଗୃହକୁ ଯାଆ ନା      କଞ୍ଜକସ୍ତୂରୀ- ବାସନା

ଚହଟୁଛି ରେ ସୁମନା      ଶୁଭାଇ କଥା କହ ନା

ହେ ଟି ଭୂଷାସ୍ୱନ ଶୁଭୁଛି ।୫।

ରାଧା

-

ତମ କଥା ଶୁଣି ହସିବି ନା କାନ୍ଦିବି ? ମୋତେ ତ ଆଚ୍ଛା ଡରାଉଛ ? ଚାଲ ମ ଯମୁନାକୁ, ବାଟରେ ଫୁଲ ତୋଳି ତୋଳି ଯିବା ଗାଧୋଇଆସି ସୂର୍ଯ୍ୟ ପୂଜା କରିବା ।

ବିଶାଖା

-

ଯମୁନା ? ସେ କଥା କହନା ସଖି ! ଯମୁନା ତ ଆହୁରି ବିଷମ ଥାନ । ନାଇଁ ସହି, ଯମୁନା ଯିବା କଥା ଆମକୁ କହ ନା, ଗଲେ ଏକା ଯାଉଥା ତୁମେ ।

ରାଧା

-

କାହିଁକି ମ ଏତେ ଡର ? ଏକା ଗଲେ ସେଠୁ କ’ଣ ହେବ ?

ବିଶାଖା

-

ଯା, ଫଳଟି ପାଇବ । ବାକି ଆମେ ନ ଯାଉଁ ।

ଲଳିତା

-

ଆମେ କିନ୍ତୁ ମନା କରୁଛୁଁ ।

ବିଶାଖା ଓ ଲଳିତା

(ଗୀତ)

ନ ଯା ଯମୁନା, ନ ଯା ଯମୁନା ରେ ନ ଯା ଯମୁନା

ରାଜୀବତେଜନୟନା ନ ଯା ଯମୁନା ।୦।

କୃଷ୍ଣ କଳାଭ୍ରମର      କୁଞ୍ଜକୁଟୀଭିତର

ଟାଣିନେବଟି ନ ଯା ଯମୁନା ରେ

ସେ ଧିଟ ପୀତପଟ      ଜାଣେ କେତେ କପଟ

ଜଗିଛି ବାଟ... (ପ୍ରସ୍ଥାନ)

 

ପଞ୍ଚମ ଦୃଶ୍ୟ

(ପଥ - ଗାଇ ଗାଇ ଶ୍ରୀକୃଷ୍ଣଙ୍କ ପ୍ରବେଶ)

 

ଶ୍ରୀକୃଷ୍ଣ

(ଗୀତ)

ସେ ମୋର ପରାଣସାଥି ରେ -

ସେ ମୋର ପରାଣସାଥି ।

ଫୁଲଶେଯେ ସେ ଯେ ମୋର ମଳୟପରଶ

(ସେ ଯେ) ମନମେଘେ ସାଥି ମୋର

ଚାନ୍ଦିନୀବିକାଶ ଗୋ ।୧।

 

ହେଲେ ସେ ଗୋ, କୁଞ୍ଜଲତା ମୁଁ ତା ପତର

ବସନ୍ତେ ସାଜିବି ଫୁଲ, ଶୀତରେ କାକର ଗୋ ।୨।

ମୁଁ ତୀର କଦମ୍ବତରୁ ସେ ଯେବେ ଯମୁନା

ପତର ମିଶିବ ଜଳେ ଦୁଃଖ ହେବ ଚୂନା ଗୋ ।୩।

(ଗାଇ ଗାଇ ଚାଲିଗଲେ)

 

ଷଷ୍ଠ ଦୃଶ୍ୟ

(ଯମୁନାତଟ - ଗୋଟିଏ ଝୁଲଣ ଝୁଲୁଥିଲା - ନେପଥ୍ୟରୁ ଶ୍ରୀମତୀ ଲଳିତାଙ୍କୁ ଡାକି ଡାକି ଆସିଲେ - ଦେଖିଲେ, କେହି ନାହିଁ, ମାଠିଆଟି ରଖିଦେଇ ଝୁଲଣରେ ବସି ଗୁଣୁ ଗୁଣୁ କରି ସୁର ଧରିଲେ ମଝିରେ ମଝିରେ ଲଳିତାକୁ ଡାକୁଥିଲେ ।)

(ଗୀତ)

ଶ୍ରୀମତୀ

ମୁଁ, ବନପକ୍ଷୀ ବନେ ବନେ ଉଡ଼ିବି ବୁଲି,

ପକ୍ଷୀତୁଲେ ଫୁଲଡ଼ାଳେ ଖେଳିବି ଝୁଲି ।୦।

ରବି ଯେବେ ମେଘକୋଣେ ଦିଶିବ ନାଲି,

ଏକୁଟିଆ ତରାଟିଏ ହସିବ ଖାଲି ।୧।

 

ନାଲି ଜଳ, ନାଲି ଥଳ ଯମୁନାବାଲି,

ନାଲି ତାରା ପହଁରିବ ଲହରୀ ଠେଲି ।୨।

ଆମେ ଦୁହେଁ ମୁହାଁମୁହିଁ ଚାହିଁବୁ ହସି,

ଆଉ କିଏ ଦେଖିବାକୁ ନ ଥିବ ଆସି ।୩।

 

ଲଳିତା

-

ମୁଁ...ମୁଁ...ମୁଁ... (ଏକଦିଗରୁ ଆସିଲେ)

ବିଶାଖା

-

ମୁଁ...ମୁଁ...ମୁଁ... (ଅନ୍ୟଦିଗରୁ ଆସିଲେ)

ଶ୍ରୀମତୀ

-

ଝୁଲି ଝୁଲି ପୁହାଇବି ସାରାଟି ନିଶି

 

 

ସରଗ-ସମ୍ପଦ ସତେ ପଡ଼ିବ ଖସି ।

ଲଳିତା

-

ମୋ ହାତେ ଖସି...

ବିଶାଖା

-

ମୋ ହାତେ ଖସି...

ଶ୍ରୀମତୀ

-

ମୋ ହାତେ ଖସି ।

 

-

( ପଛରୁ ଶ୍ରୀକୃଷ୍ଣ, ମଧୁମଙ୍ଗଳ ଓ ସୁବଳ ଆସିଲେ )

ଶ୍ରୀକୃଷ୍ଣ

-

ରାଧାନାମେ ବଜାଇବି ମୁଁ ମୋହନବଂଶୀ ।

ଶ୍ରୀମତୀ

-

(ଫେରି ଚାହିଁ) କିଏ ? (ହଠାତ୍‌ ଉଠିପଡ଼ି)

ଲଳିତା

-

ଆଖିରେ ଦେଖ।

ଶ୍ରୀକୃଷ୍ଣ

-

ରାଧା ରାଧା ଗାଉଥିବ ... (ବଂଶୀବାଦନ)

 

( ଶ୍ରୀମତୀ ଉଠିଗଲାବେଳେ ମୋତିମାଳାଟି ଛିଣ୍ଡିଗଲା - ଲଳିତା, ବିଶାଖା ଗୋଟାଉଥିଲେ ବସି । ଶ୍ରୀମତୀ ଶ୍ରୀକୃଷ୍ଣଙ୍କ ଆଡ଼କୁ ମୁଗ୍‌ଧ ଦୃଷ୍ଟିରେ ଚାହିଁ ବଂଶୀ ଶୁଣୁଥିଲେ )

 

 

- ଯବନିକାପତନ -

**********